୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି ଚକିଆ ସାଇକେଲରେ ବୃଦ୍ଧ ବୟସରେ ପେଟକୁ ଆହାର ଯୋଗାଉଛି । ହଁ ଆଜ୍ଞା କେବେବି ଶୁଣିନଥିବେ ଯେ ତିନିଚକିଆ ଗାଡିରେ ନିଜ ପେଟକୁ ମୁଠାଏ ଦାନା ଦେବା ପାଇଁ କିଏ ଏଥିରେ ବ୍ୟବସାୟ କରୁଥିବେ । ଏହା ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ ବାସ୍ତବରେ ସତ ।
ସୋରଡା ଦେଇ ଯାଇଥିବା NH 59ରେ ନିଗମାନନ୍ଦ ରୋଡକୁ ଲାଗି ଦୀର୍ଘ ୬୦ ବର୍ଷ ହେବ ଜଣେ ଦିବ୍ୟାଙ୍ଗ ରାମକୃଷ୍ଣ ନାୟକ ନିଜ ଧର୍ମ ପତ୍ନୀଙ୍କ ସହିତ ଏକ ଝୁମ୍ପୁଡି କୋଠରିରେ ରହୁଛନ୍ତି । ବୟସ ୭୫ ଅତିକ୍ରମ କରିଲାଣି ତଥାପି ନିଜ ମନ ବଳକୁ ଦୁର୍ବଳ କରିନାହାନ୍ତି କାରଣ ନିଜେ ବଞ୍ଚିବା ସହିତ ପତ୍ନୀଙ୍କ ପେଟକୁ ବି ଆହାର ଦେବେ ସେ । ଏହି ବୟସରେ ପରିବା ବଜାରରୁ ପରିବା କିଣି ସେ ଗାଁ ଗାଁ ଘର ଘର ବୁଲି ପରିବା ବିକୁଛନ୍ତି । ଆଉ ଏଥିରେ ତାଙ୍କୁ ସାହାରା ଦେଉଛି ତିନିଚକିଆ ସାଇକେଲ ।
ଏହି ଭଙ୍ଗା ତିନିଚକିଆ ସାଇକେଲ ଧରି ସକାଳୁ ସକାଳୁ ବାହାରି ପଡନ୍ତି ଗୋଟିଏ ସାହିରୁ ଅନ୍ୟ ସାହିକୁ। ଆପଣ ୟାଙ୍କୁ ଦେଖିଲେ ଠିକ୍ ବୁଝିଯିରବେ ଜୀବନ କଣ ଆଉ ଜୀବନରେ ବଞ୍ଚିବାକୁ ହେଲେ କେତେ କଣ ସଂଘର୍ଷ କରିବାକୁ ପଡେ । ଯେଉଁମାନେ ବାପା ପଇସାରେ ଅଏସ ଆରାମ କରୁଛନ୍ତି ସେମାନେ ତ ନିଶ୍ଚୟ ଦେଖିବା ଉଚିତ୍, ୟାକୁ ଦେଖିଲେ ବୁଝିଯିବେ ଦୁଃଖ କଣ ଆଉ ଏହି ଦୁଃଖ ସମୟରେ ନିଜର ଅପାରଙ୍ଗତାକୁ କେମିତି ସକ୍ଷମ କରିହୁଏ ।
ଆଜ୍ଞା ଇଏ ହେଉଛନ୍ତି ରାମକୃଷ୍ଣ ନାୟକ । ବୟସ ୭୫ ଟପିଥିଲେ ମଧ୍ୟ ବୟସ ଆଗରେ ତାଙ୍କରି ମନବଳ ହାର ମାନିନି । ସ୍ତ୍ରୀ ରମା ନାୟକଙ୍କୁ ନେଇ ପରିବାର । ଗୋଟିଏ ଝିଅ ଥିଲା ତାକୁ ଦୁଖ କଷ୍ଟରେ ବିବାହ ଦେଇଛନ୍ତି । ଦୁଇ ଗୋଡ ଅକାମି ହେଲେ ମଧ୍ୟ ତାକୁ ହିଁ ସାହାରା କରି ଜୀବନରେ କରିଚାଲିଛନ୍ତି ସଂଘର୍ଷ । ତାଙ୍କର ସାହା ଭରସା ସେହି ତିନି ଚକିଆ ସାଇକେଲ । ସକାଳ ଆରମ୍ଭ ହୋଇଗଲେ ସଂଘର୍ଷ ଆରମ୍ଭ ହୁଏ ପେଟ ପାଇଁ, ମୁଖ୍ୟ ଉଦ୍ଦେଶ୍ୟ ନିଜେ ବଞ୍ଚିବା ଏବଂ ସ୍ତ୍ରୀକୁ ବଞ୍ଚାଇବା। ବଜାରରୁ ବିଭିନ୍ନ କିସମର ପରିବା କିଣି ଘର ଘର ବୁଲି ବାପ ଧନ କହି ମା ଝିଅଙ୍କୁ ଗୁହାରି କରି ପରିବା ବିକନ୍ତି ସେଥିରେ ଯାହା ରୋଜଗାର ହୁଏ ଦୁଇ ପ୍ରାଣୀ ଦୁଃଖେ ସୁଖେ ଚଳିଯାନ୍ତି । ହାତ ଚଳିଲେ ପେଟ ଚଳିବ ବୋଲି ସେ କୁହନ୍ତି ।
ଖରା ବର୍ଷା ଶୀତ ତାଙ୍କ ପାଇ ସମାନ । ବହୁ ବର୍ଷ ତଳେ ଏକ ଚା ଦୋକାନ କରିଥିଲେ ଦଶ ବର୍ଷ ତଳେ Nh ରାସ୍ତା ତିଆରି ହେବାରୁ ଦୋକାନ ଖଣ୍ଡିକ ଚାଲିଗଲା ।ନୂଆ ଦୋକାନ କରିବାକୁ ଆଉ ସମ୍ବଳ ନାହିଁ, ତେଣୁ ବାଧ୍ୟ ହୋଇ ପ୍ରଶାସନ ଦେଇଥିବା ତିନି ଚକିଆ ସାଇକେଲରେ ଆରମ୍ଭ କଲେ ପରିବା ବିକା । ବହୁ ଗରାଖ ଆସନ୍ତି କିଛି ପରିବା କିଣନ୍ତି ତ କିଛି ଦୁଖ ଦେଖି ଆହା ଚୁ ଚୁ କରି ଯାଇଥାନ୍ତି । ସମସ୍ତଙ୍କ ନଜର ପଡିଥାଏ ଏହି ଦିବ୍ୟାଙ୍ଗ ରାମକୃଷ୍ଣ ଙ୍କ ଉପରେ ତଥାପି କେହି ହେଲେ ବି ସହଯୋଗର ହାତ ବଢାଇ ନାହାନ୍ତି । ଘରର ଅବସ୍ତା କଥା କହିଲେ ନସରେ । ଟିଣ ସବୁ ଜଙ୍କ୍ ଖାଇ କଣା ହୋଇଗଲାଣି ବର୍ଷା ଦିନେ ଘରେ ପାଣିର ସୁଅ ଯାଉଛି । ପ୍ରଶାସନିକ ଅଧିକାରୀଙ୍କ ନଜର କେବେ ପଡିନୀ ରାମକୃଷ୍ଣଙ୍କ ଉପରେ । ବହୁବାର ଘର ଖଣ୍ଡିଏ ପାଇ ଅଭିଯୋଗ କରିଛନ୍ତି ତଥାପି ଗୁହାରି କେହି ବି ଶୁଣୁନାହାନ୍ତି ବୋଲି ସ୍ତ୍ରୀ ରମା ନାୟକ କହିଛନ୍ତି ।
ଆମେ ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ଵାଳଙ୍କୁ ଅବଗତ କରାଇବାରୁ ସେ କହିଛନ୍ତି ଅତି ଶୀଘ୍ର ଘର ଓ ରାସନ୍ କାର୍ଡରେ ୩୫ କେଜି ଚାଉଳ ଦିଆଯିବ । କେବଳ ଦିବ୍ୟାଙ୍ଗ ଭତା ପାଇ ସନ୍ତୁଷ୍ଟ ଅଛନ୍ତି ରାମକୃଷ୍ଣ ।