ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦ; ୭ ଦିନ ଭିତରେ ଜବାବ ନ ଦେଲେ କଣ ହେବ ରାମକୃଷ୍ଣଙ୍କ ଭାଗ୍ୟ ?

ପୁରୀ : ପଶ୍ଚିମବଙ୍ଗ ଦୀଘାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ କାଠରେ ନିର୍ମାଣକୁ ନେଇ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ପାଇଁ ବଢ଼ିଲା ଅଡୁଆ । ରାମକୃଷ୍ଣ ଦାସମହାପାତ୍ରଙ୍କୁ ୭ ଦିନ ମଧ୍ୟରେ କୈଫିୟତ ତଲବ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଯଦି ଏହି ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ନ ମିଳେ ତେବେ କଣ ହେବ ରାମକୃଷ୍ଣ ଦାସ ମହାପାତ୍ରଙ୍କ ଭାଗ୍ୟ । ତାଙ୍କ ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ସେପଟେ ଗତକାଲି ନିଜର ଦ୍ବନ୍ଦ୍ବାତ୍ମକ ମନ୍ତବ୍ୟ ଦ୍ବାରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁଣ୍ଣ କରିବା ଅଭିଯୋଗରେ ରାମକୃଷ୍ଣଙ୍କୁ କୈଫିୟତ୍ ତଲବ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ନୋଟିସ ପାଇବାର ୭ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ସମୟ ଦିଆଯାଇଛି । ଏହି ସମୟ ଭିତରେ ସନ୍ତୋଷ ଜନକ କୈଫିୟତ୍ ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି l ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ ରାମକୃଷ୍ଣ ଦାସମହାପାତ୍ର । ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ବଳକା ଦାରୁରେ ନିର୍ମିତ ମୂର୍ତ୍ତି ଦୀଘା ମନ୍ଦିରକୁ ପ୍ରଦାନ କରିଥିବା ସେ ବଙ୍ଗୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ଅଭିଯୋଗ ହୋଇଥିଲା । ପରେ ଓଡ଼ିଶା ଗଣମାଧ୍ୟମରେ ସେ ଏହାକୁ ଖଣ୍ଡନ କରିଥିବା ସହ ଅନ୍ୟ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ନେଇ ନିଜେ ତାକୁ ପ୍ରତିଷ୍ଠା କରିଥିବା କହିଥିଲେ ।
ନବକଳେବରରେ ସଂଗୃହୀତ ଦାରୁ ମଧ୍ୟରୁ ବଳକା ଦାରୁ ଶ୍ରୀମନ୍ଦିର “ଦାରୁଘର”ରେ ସଂରକ୍ଷିତ ରହିବାର ବିଧି ରହିଛି । ଆବଶ୍ୟକ ସମୟରେ କେବଳ ଶ୍ରୀଜିଉମାନଙ୍କ ବ୍ଯବହାରରେ ବିନିଯୋଗର ବିଧି ତଥା ପରମ୍ପରା ରହିଛି । ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ରାମକୃଷ୍ଣ ଦାସ ମହାପାତ୍ର ଏଭଳି ବୟାନ ଦେବା ଦ୍ବାରା ଶ୍ରୀଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ମାନସରେ ବିଭ୍ରାନ୍ତି ସୃଷ୍ଟି ହୋଇଥିବା ନୋଟିସରେ କୁହାଯାଇଛି । ଏହା ଦ୍ବାରା ଶ୍ରୀମନ୍ଦିରର ଗରିମା ଓ ଐତିହ୍ୟ କ୍ଷୁର୍ଣ୍ଣ ହୋଇଥିବା ନୋଟିସରେ ଦର୍ଶାଯାଇଛି ।
ଆହୁରି ପଢ଼ନ୍ତୁ : ଦାରୁ ବିବାଦ : ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ୍ ତଲବ, ସାତ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ