ଡିଜିଟାଲ ଆରେଷ୍ଟ ଠକାମୀର ଶୀକାର ହେଲେ ଭାରତୀୟ ନୌସେନା ଅଧିକାରୀ, ସାଇବର ଠକ ଠକିନେଲେ ୧ କୋଟି ୮ ଲକ୍ଷ ଟଙ୍କା

କଟକ : ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ ଡିଜିଟାଲ ଆରେଷ୍ଟ ଠକାମୀର ଶୀକାର । କୋଟିଏ ଟଙ୍କା ଠକି ନେଲେ ସାଇବର ଠକ । ପୂର୍ବତନ ନୌସେନା ଅଧିକାରୀଙ୍କୁ ଡିଜିଟାଲ ଆରେଷ୍ଟ ତଥା ଦିଲ୍ଲୀ ପୋଲିସ ଦ୍ବାରା ଗିରଫଦାରୀର ଭୟ ଦେଖାଇ ସାଇବର ଠକମାନେ ୧ କୋଟି ୮ ଲକ୍ଷ ଟଙ୍କା ଠକି ନେଇଛନ୍ତି । ସାଇବର ଠକ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫୋନ କରି କହିଥିଲେ, ମୁଁ ଟେଲିକମ୍ ରେଗୁଲେଟାରୀ ଅଥରିଟିର ଅଧିକାରୀ କହୁଛି ।
ବଡ଼ ଧରଣର ଅନିୟମିତତା ଅଭିଯୋଗରେ ତୁମ ନାଁରେ ଦିଲ୍ଲୀ ପୋଲିସରେ ମାମଲା ରହିଛି । ତେଣୁ ତୁମକୁ ଦିଲ୍ଲୀ ପୋଲିସ ଗିରଫ କରିବାକୁ ଖୋଜୁଛି । ଏଭଳି ଭୟ ଦେଖାଇ ଟଙ୍କା ଠକିଥିଲା ଅଭିଯୋଗ ହୋଇଛି । ଆକାଉଣ୍ଟରୁ ସବୁ ଟଙ୍କା ସରିଯିବା ପରେ ପୂର୍ବତନ ନୌସେନା ଅଧିକାରୀ ଠକେଇର ଶିକାର ହୋଇଥିବା ଜାଣି କଟକ କ୍ରାଇମବ୍ରାଞ୍ଚ୍ ସାଇବର ଥାନାରେ ଏତଲା ଦେଇଛନ୍ତି । ଜଣେ ଉଚ୍ଚଶିକ୍ଷିତ ଅଧିକାରୀଙ୍କୁ ଏମିତି କୋଟିଏରୁ ଅଧିକ ଟଙ୍କା ଠକି ନିଆଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।
ଖବରରୁ ପ୍ରକାଶ ଗଞ୍ଜାମ ଜିଲ୍ଲା ବେଲଗାମ ଥାନା ସୂର୍ଯ୍ୟନାରାୟଣପୁର ଅଞ୍ଚଳରେ ରହୁଥବା ନୌବାହିନୀର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ମୋବାଇଲ୍ ନମ୍ବରକୁ ଏକ ଅଜଣା ନମ୍ବରରୁ ଗତ ୧୩ ତାରିଖରେ ଏକ କଲ୍ ଆସିଥିଲା । କଲ୍ କରିଥିବା ଅଜଣା ବ୍ୟକ୍ତି ଜଣକ ନିଜକୁ ଟ୍ରାଇ ଅଧିକାରୀ ବୋଲି ପରିଚୟ ଦେଇଥିଲେ । ଦୁଇ ଘଣ୍ଟା ମଧ୍ୟରେ ମୋବାଇଲ୍ ନମ୍ବର ବ୍ଲକ୍ ହୋଇଯିବ ବୋଲି କହିଥିଲା । ତେଣୁ ଟ୍ରାଇର ଉଚ୍ଚପଦସ୍ଥ ଅଧିକାରୀଙ୍କ ମୋବାଇଲ୍ ନମ୍ବରରେ ଯୋଗାଯୋଗ କରିବାକୁ ହେଲେ ମୋବାଇଲ୍ ରେ ଥିବା ୧ ବଟମ୍ ଭିତରେ ଚିପନ୍ତୁ ବୋଲି ସମ୍ପୃକ୍ତ ସନ୍ଦିଗ୍ଧ କହିଥିଲା । ସେହିପରି ମୋବାଇଲ୍ ନମ୍ବରରେ ବେଆଇନ ଅର୍ଥ କାରବାର ହୋଇଛି ।
ଏହି ମୋଟା ଅଙ୍କର ଅର୍ଥ କାରବାର ପଛରେ ସାଙ୍ଘାତିକ ଅପରାଧ ରହିଛି ବୋଲି ଟ୍ରାଇ ଅଧିକାରୀ ପରିଚୟ ଦେଇ କଥା ହେଉଥିବା ସନ୍ଦିଗ୍ଧ ଜଣକ କହି ଭୟଭୀତ କରାଇଥିଲା । ଦିଲ୍ଲୀ ପୁଲିସ ଗିରଫ କରିବା ଥୟ ବୋଲି ସେ ଚେତାବନୀ ଦେବା ପରେ ପୂର୍ବତନ ନୌସେନା ଅଧିକାରୀ ଅକଳରେ ପଡ଼ିଥିଲେ । ଠକଙ୍କ କଥାରେ ରାଜି ହୋଇ ନିଜ ଆକାଉଣ୍ଟ୍ ନମ୍ବର ଏଟିଏମ୍ ନମ୍ବର ଆଦି ହ୍ବାଟସ୍ ଆପରେ ସବୁକିଛି ତଥ୍ୟ ଦେଇଥିଲେ । ହ୍ବାଟସ୍ ଆପ୍ ରେ ପୂର୍ବତନ ନୌସେନା ଅଧିକାରୀଙ୍କଠାରୁ ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ପାଇଯିବା ପରେ ସେ ଅନ୍ୟ ଉପାୟରେ ଚକମା ଦେଇଥିଲେ ।
ଉକ୍ତ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ବେଆଇନ୍ ଅର୍ଥ କାରବାର ହୋଇଛି ବୋଲି କହି ସେ ଭୟଭୀତ କରାଇଥିଲା । ଅଭିଯୁକ୍ତ ଠକର ଏସବୁ କାରସାଦିକୁ ସହଜରେ ବୁଝିନପାରି ଗିରଫଦାରୀ ଆଶଙ୍କାରୁ ବର୍ତ୍ତିବା ପାଇଁ ଆକାଉଣ୍ଟ ରୁ ପ୍ରଥମେ ୩୩ ଲକ୍ଷ ଟଙ୍କା , ୪୫ ଲକ୍ଷ , ୨୮ ଲକ୍ଷ ଓ ୨ ଲକ୍ଷ ଟଙ୍କା ପଠାଇ ଚାଲିଥିଲେ । ୧ କୋଟି ୮ ଲକ୍ଷ ଟଙ୍କା ନେଇସାରିବା ପରେ ଅଭିଯୁକ୍ତ ତାର ହ୍ବାଟସ୍ଆପ୍ ନମ୍ବରକୁ ଅଫ୍ କରିଦେଇଥିଲା । ଟଙ୍କା ଦେଇସାରିବା ପରେ ନମ୍ବରକୁ ଯୋଗାଯୋଗ କରିବା ବେଳକୁ ନମ୍ବର ଲାଗିନଥିଲା ।
Also read: ସାଇବର ଠକେଇର ଶିକାର ହେଲେ କୂଳପତି, ୧୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ