କେନ୍ଦୁଝର ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ପ୍ରାଥମିକ ଚିକିତ୍ସା କ୍ଷେତ୍ରରେ କୀର୍ତ୍ତିମାନ ସ୍ଥାପନ କଲା ଡିଜିଟାଲ ଡିସପେନସାରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରାଥମିକ ଚିକିତ୍ସା ସେବା ଯୋଗାଇବାରେ ଡିଜିଟାଲ ଡିସପେନସାରୀ ବ୍ୟବସ୍ଥା ନୂତନ କୀର୍ତ୍ତିମାନ ସ୍ଥାପନ କରିଥିବା ସୂଚନା ମିଳିଛି । ଇତିମଧ୍ୟରେ ଜିଲ୍ଲାରେ ସ୍ଥାପିତ ୭ଟି ଡିଜିଟାଲ ଡିସପେନସାରୀରେ ୧ଲକ୍ଷ ୬ହଜାର ୯୯୬ ଜଣ ପ୍ରାଥମିକ ଚିକିତ୍ସା ସେବା ପାଇଥିବା ଜଣାପଡିଛି । ବଡକଥା ହେଲା କରୋନା ମହାମାରୀ ଲକ୍‌ଡାଉନ ସମୟରେ ମଧ୍ୟ ଡିଜିଟାଲ ଡିସପେନସାରୀ ସେବା ଆଭ୍ୟନ୍ତରୀଣ ଅଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରି ୨୪ହଜାର ଲୋକଙ୍କୁ ସେବା ଯୋଗାଇବାରେ ସଫଳ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୭ ମସିହାରୁ କେନ୍ଦୁଝର ଜିଲ୍ଲାର ଗୁଆଲି ଅଞ୍ଚଳରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ପ୍ରୋତ୍ସାହନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଡିଜିଟାଲ ଡିସପେନସାରୀ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏହାର ସୁଫଳ ଜନସାଧାରଣ ପାଇବା ପରେ କେନ୍ଦୁଝର ଜିଲ୍ଲାର ଡିଜିଟାଲ ଡିସପେନସାରୀ ବ୍ୟବସ୍ଥା ରୋଲ ମଡେଲ ଭାବେ ଗ୍ରହଣ କରାଯାଇ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇଛି । ଏଥିସହ ୨୦୧୮ ମସିହାରେ ଅନ୍ୟ ୬ଟି ସ୍ଥାନରେ ଡିଜିଟାଲ ଡିସପେନସାରୀ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ବ୍ରାହ୍ମଣୀପାଳ,ବାୟାକୁମୁଟିଆ,ଚିନାମାଳିପଶି,ଗୁଆଲି,ନୟାକୋଟ,ରାୟଗଡା, ଟାଙ୍ଗିରିଆପାଳଠାରେ ଡିଜିଟାଲ ଡିସପେନସାରୀ ସେବା ଚାଲୁ ରହିଛି । ଆଗାମୀ ଦିନରେ ଜିଲ୍ଲାର ଆହୁରି ୧୩ଟି ଆଭ୍ୟନ୍ତରୀଣ ଅଞ୍ଚଳରେ ଏହି ସେବା ଯୋଗାଇବା ପାଇଁ ଡିଏମ୍‌ଏଫ୍ ତରଫରୁ ଯୋଜନା ପ୍ରସ୍ତୁତ ହୋଇଛି ।

ଡିଜିଟାଲ ଡିସପେନସାରୀକୁ ଆସୁଥିବା ଲୋକେ ବିଭିନ୍ନ ସ୍ଥାନରେ ଥିବା ସ୍ପେଶାଲିଷ୍ଟ ଡାକ୍ତରମାନଙ୍କ ସହ ଭିଡିଓ କଲ ମାଧ୍ୟମରେ ଚିକିତ୍ସା ପରାମର୍ଶ,ଔଷଧ ପରାମର୍ଶ,ପ୍ରାଥମିକ ଡାକ୍ତରୀ ପରୀକ୍ଷା,ଇସିଜି ବ୍ୟବସ୍ଥା ବିନା ମୂଲ୍ୟରେ ଉପଲବ୍ଧ ହେଉଛି । ଯାହାଫଳରେ ଆଭ୍ୟନ୍ତରୀଣ ଅଞ୍ଚଳର ଜନସାଧାରଣ ହାତ ପାଆନ୍ତାରେ ଡିଜିଟାଲ ଡିସପେନସାରୀ ମାଧ୍ୟମରେ ପ୍ରାଥମିକ ଚିକିତ୍ସା ସେବା ପାଇ ପାରୁଛନ୍ତି । ଜିଲ୍ଲାରେ ଥିବା ଡିଜିଟାଲ ଡିସପେନସାରୀମାନଙ୍କରେ ୨ଜଣ ତାଲିମପ୍ରାପ୍ତ ଏଏନ୍‌ଏମ୍‌,ଜଣେ ଲାବରୋଟାରୀ ଟେକ୍ନିସିଆନ୍ ଓ ଜଣେ ଫାର୍ମାସିଷ୍ଟ ମଧ୍ୟ ନିଯୁକ୍ତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାର ଏହି ଡିଜିଟାଲ ଡିସପେନସାରୀ ସେବା କାରଣରୁ ଗୁଆଲିଠାରେ ଥିବା ଡିସପେନସାରୀରେ ଅଦ୍ୟାବଧି ୨୩ହଜାର ୫୫୮ ଜଣ,ବ୍ରାହ୍ମଣୀପାଳଠାରେ ୧୬ହଜାର ୪୯୧ ଜଣ,ଚିନାମାଳିପଶିଠାରେ ୧୬ହଜାର ୩୮୬ ଜଣ,ଟାଙ୍ଗରିଆପାଳଠାରେ ୧୭ହଜାର ୩୭୭ ଜଣ,ବାୟାକୁମୁଟିଆଠାରେ ୧୦ହଜାର ୧୩୮ଜଣ,ନୟାକୋଟଠାରେ ୧୦ହଜାର ୧୧୪ଜଣ ଓ ରାୟଗଡାଠାରେ ୪ହଜାର ୮୭୫ ଜଣଙ୍କୁ ମିଶାଇ ୧ଲକ୍ଷ ୬ହଜାର ୯୯୬ ଜଣ ଏଥିରେ ପ୍ରାଥମିକ ଚିକିତ୍ସା ସେବା ପାଇଥିବା ଜଣାପଡିଛି ।

କେନ୍ଦୁଝର ଏକ ଆଦିବାସୀ ହରିଜନ ବହୁଳ ଜିଲ୍ଲା ହୋଇଥିବାବେଳେ ଜିଲ୍ଲାର ୮୫% ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି । କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରାଥମିକ ଚିକିତ୍ସା ପାଇବାରେ ବିଳମ୍ବ ହେଉଥିବା ଅନୁଭବ କରି ଜିଲ୍ଲା ପ୍ରଶାସନ ଓ ଖଣିଜ ପ୍ରତିଷ୍ଠାନର ମିଳିତ ସହଯୋଗରେ ଆଭ୍ୟନ୍ତରୀଣ ଅଞ୍ଚଳମାନଙ୍କରେ ଡିଜିଟାଲ ଡିସପେନସାରୀ ବ୍ୟବସ୍ଥା କରି ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ରଖିଥିବା ଲକ୍ଷ୍ୟ ସଫଳ ହୋଇଥିବା କୁହାଯାଉଛି । ଏଗୁଡିକର ସଫଳତା ଦେଖି ଜିଲ୍ଲାର ଆଉ ୧୩ଟି ଆଭ୍ୟନ୍ତରୀଣ ସ୍ଥାନରେ ଡିଜିଟାଲ ଡିସପେନସାରୀ ସେବା କେନ୍ଦ୍ର ଖୋଲିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.