ପ୍ରଶ୍ନପତ୍ର ଲିକ୍ ରୋକିବ ଡିଜିଟାଲ ଲକ, ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଥମ ଥର ହେବ ବ୍ୟବହାର

କଟକ : ପ୍ରଶ୍ନପତ୍ର ଲିକ୍ ରୋକିବ ଡିଜିଟାଲ ଲକ । ଡିଜିଟାଲ ଲକ ବ୍ୟବସ୍ତା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ମଧ୍ୟ ବ୍ୟବହାର ହେବ । ୧୮୩ଟି ପରୀକ୍ଷା କେନ୍ଦ୍ରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବକ୍ସରେ ଲାଗିବ ଡିଜିଟାଲ ଲକର୍ । ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଥମ ଥର ପାଇଁ ବ୍ୟବହାର କରାଯିବ । ଆଗାମୀ ଦିନରେ ଏହି ଡିଜି ଲକର୍ ବୋର୍ଡ ପରୀକ୍ଷାରେ ବ୍ୟବହାର ହେବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ।
ଅନ୍ୟପଟେ ଚଳିତ ବର୍ଷଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ । ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନର ଜରିଆରେ ଫଟୋ ଉଠାଇଲେ ସେହି ୱାଟର ମାର୍କ ଆସିଯିବ । ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ଏପରି ବଡ଼ ବ୍ୟବସ୍ଥା ହୋଇଛି । କେଉଁ ପରୀକ୍ଷାର୍ଥୀଙ୍କର ସେହି ପ୍ରଶ୍ନପତ୍ର, କେଉଁ ସେଣ୍ଟରର ଏବଂ କେଉଁ ହଲର ତାହା ସେଥିରୁ ଜଣାପଡିଯିବ । ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏହି ୱାଟର ମାର୍କ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିସାରିଛି ।