ଦୀପାଳି ଦାସ ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ଏକ ପ୍ରକାର ଫାଇନାଲ, ନବ ଦାସଙ୍କ ବୋହୂ ଦେଇଥିବା ମନ୍ତବ୍ୟରୁ ମିଳିଛି ଆଭାସ
ବାପାଙ୍କ ବହୁତ ସାରା ସ୍ୱପ୍ନ ମଧ୍ୟରେ ଗୋଟିଏ ଥିଲା ଦୀପାଳି ଝାରସୁଗୁଡ଼ାରୁ ଜିତନ୍ତୁ । ଝାରସୁଗୁଡାବାସୀଙ୍କ ସେବା କରୁ। ଆମେ ତାଙ୍କ ସ୍ୱପ୍ନ ସାକାର କରିବାକୁ ଚାହୁଁଛୁ। ଗତକାଲି ଝାରସୁଗୁଡାରେ ମହିଳା ଦିବସ ପାଳନ ଅବସରରେ ନବ ଦାସଙ୍କ ବୋହୂ ଏହା କହିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ଦୀପାଳି ଦାସ । ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ଏକ ପ୍ରକାର ଫାଇନାଲ। ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ସୁପ୍ରିମୋ ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା କରିପାରନ୍ତି । ଗତକାଲି ଦୀପାଳିଙ୍କୁ ନେଇ ନବ ଦାସଙ୍କ ବୋହୂ ଦେଇଥିବା ମନ୍ତବ୍ୟରୁ ଏହି ଆଭାସ ମିଳୁଛି। ବାପାଙ୍କ ବହୁତ ସାରା ସ୍ୱପ୍ନ ମଧ୍ୟରେ ଗୋଟିଏ ଥିଲା ଦୀପାଳି ଝାରସୁଗୁଡ଼ାରୁ ଜିତନ୍ତୁ । ଝାରସୁଗୁଡାବାସୀଙ୍କ ସେବା କରୁ। ଆମେ ତାଙ୍କ ସ୍ୱପ୍ନ ସାକାର କରିବାକୁ ଚାହୁଁଛୁ। ଗତକାଲି ଝାରସୁଗୁଡାରେ ମହିଳା ଦିବସ ପାଳନ ଅବସରରେ ନବ ଦାସଙ୍କ ବୋହୂ ଏହା କହିଛନ୍ତି । ଗୋଟିଏ ପଟେ ଝାରସୁଗୁଡାରେ ଦୀପାଳ ଜନସମ୍ପର୍କ ବଢାଉଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଝାରସୁଗୁଡାରେ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ତାଙ୍କ ନେତ୍ୃତ୍ୱରେ କରାଯାଉଛି। ଏସବୁ ଦେଖିଲେ ଲାଗୁଛି, ଉପ ନିର୍ବାଚନରେ ଦୀପାଳି ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ ।
ସେହିପରି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଯୁବ ନେତା ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୧୯ ନିର୍ବାଚନ ପରେ ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ତିନିଟି ବିଧାନସଭା ଆସନରେ ଉପ ନିର୍ବାଚନ ହୋଇଛି। ବିଜେପୁର, ବ୍ରଜରାଜନଗର ଓ ପଦ୍ମପୁରରେ ଉପ ନିର୍ବାଚନ ହୋଇଥିଲା। ଏହି ତିନିଟି ଯାକ ଉପ ନିର୍ବାଚନରେ ବିଜେଡି ବଡ଼ ଭୋଟ୍ ବ୍ୟବଧାନରେ ବାଜିମାତ୍ କରିଛି। ଆଗକୁ ଝାରସୁଗୁଡା ଉପ ନିର୍ବାଚନ ହେବାର ରହିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ସବୁ ଦଳ ସେମାନଙ୍କର ପତିଆରା ଦେଖାଇବାକୁ ପ୍ରୟାସ କରିବେ। ଝାରସୁଗୁଡାରେ ନବ ଦାସଙ୍କର ପ୍ରଭାବ ଓ ପତିଆରା ବେଶ ଥିଲା। ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନବଙ୍କ ଅବର୍ତମାନରେ ତାଙ୍କ ଝିଅ ଦୀପାଳ ନବ ଲିଗାସି ଆଗକୁ ନେବେ ଏହା ସ୍ପଷ୍ଟ ବାରି ହୋଇପଡୁଛି।