ଡିପ୍ଲୋମା ଇଞ୍ଜିନିୟର ହୋଇ ବି ଲୋକଙ୍କୁ ଠକୁଥିଲା, ଏବେ ସାଇବର ପୋଲିସ ହାତରେ ଧରା ପଡ଼ିଲା

ପୋଷ୍ଟ ବଡ଼ କିନ୍ତୁ ମୁଣ୍ଡରେ ପଶିଥିଲା ଖଳ ବୁଦ୍ଧି । କେମିତି ଲୋକଙ୍କ ଠାରୁ ଲୁଟି ନିଜ ପକେଟ ଗରମ କରିବ ସେହି ଚିନ୍ତାରେ ଥିଲା ଡିପ୍ଲୋମା ଇଞ୍ଜିନିୟର ସୁରେନ୍ଦ୍ର ସାହୁ ଜଣେ ଯୁବକ । ବଡ଼ ପୋଷ୍ଟରେ ଥାଇ ମଧ୍ୟ କରୁଥିଲା ସାଇବର ଠକେଇ । ସ୍ବଳ୍ପ ନିବେଶରେ ଅଧିକ ଲାଭ ପାଇବାର ଲୋଭ ଦେଖାଇ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଉଥିଲା । କିନ୍ତୁ ସବୁ ଚାଲାକି ଫିକା ପଡ଼ିଲା ପୋଲିସ ଆଗରେ । ସାଇବର ଠକ ଡିପ୍ଲୋମା ଇଞ୍ଜିନିୟର ସୁରେନ୍ଦ୍ର ସାହୁକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ ।
ବିଭିନ୍ନ ଲୋକଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିଲା ସୁରେନ୍ଦ୍ର । ଥାଇଲାଣ୍ଡକୁ ତିନି ମାସିକା ଭିସାରେ ଯାଇ ସେଠାରେ ଏକ କମ୍ପାନୀ କରିଥିବା ନେଇ ଲୋକଙ୍କୁ ବିଶ୍ୱାସ ଦେଇଥିଲା । ଏହା ପରେ ଏକ ମୋବାଇଲ ଆପ ସହାୟତାରେ ଟଙ୍କା ଠକି ନେଇଥିଲା । ଅଧିକ ଟଙ୍କା ରିଟର୍ଣ୍ଣ ଲୋଭ ଦେଖାଇ କଟକର ଜଣଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ସାଇବର ଥାନାରେ ଅଭିଯୋଗ ହୋଇଥିଲା । ତେବେ ସାଇବର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ରାୟଗଡ଼ାରୁ ତାକୁ ଗିରଫ କରିଛି । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା ।
ଏଭଳି ସାଇବର ଠକଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ତେଣୁ କାହାକୁ ବି ଟଙ୍କା ଦେବା ପୂର୍ବରୁ ୧୦୦ ଥର ଚିନ୍ତା କରନ୍ତୁ । ନଚେତ ଆପଣ ବି ଏମିତି ଠକାମୀର ଶିକାର ହୋଇ ଟଙ୍କା ଗଣିବେ ।