ଦର୍ଶକ ଦେଖିପାରିବେନି ଝାଇଁମରା ନାଚ, ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଆଉ ଦର୍ଶକ ଦେଖିପାରିବେନି ଝାଇଁମରା ନାଚ । ଖୋଲା ମଞ୍ଚ ଯାତ୍ରାରେ ନାଟକକୁ ନେଇ ଦର୍ଶକଙ୍କ ଭିତରେ କ୍ରେଜ୍‌ ବଢ଼ୁଥିଲା । ହେଲେ ନାଟକରେ ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି । ଯାହାକୁ ନେଇ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି । ଏଣିକି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ ଲାଗିବ । ଏଥିପାଇଁ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି । ଏଥିପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଥିବା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏହି ପ୍ରସଙ୍ଗରେ କିଛି ଦିନ ତଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଥିଲେ, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି । ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ଯାତ୍ରା ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ। ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି । ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି । ଏନେଇ ଯାତ୍ରା ମାଲିକଙ୍କ ସହ ଆଲୋଚନା କରାଯିବ । ଏହି ପ୍ରସଙ୍ଗରେ ଚିନ୍ତା କରି ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକମାନଙ୍କୁ ଅନୁରୋଧ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।