ଆନନ୍ଦପୁର ଉପଖଣ୍ଡ ଘସିପୁରା ବସଷ୍ଟାଣ୍ଡର ଅବସ୍ଥା ଏମିତି, ନକହିବା ଭଲ

ଆନନ୍ଦପୁର: ଘର ଚଳାଇବାକୁ ସଫେଇ କର୍ମଚାରୀ ଭାବେ ଚାକିରି କରିଥିଲୁ ଆଜ୍ଞା , ହେଲେ ଘର ଚଳିବା ତ ଦୂରର କଥା ଏବେ ଏଭଳି ଅବସ୍ଥା ନକହିବା ଭଲ । ଦୀର୍ଘ ୭ ମାସ ଧରି ଦରମା ମିଳୁନି । ଛୁଆ ପିଲା ଖାଇବେ କଣ? ଘର ଚଳିବ କେମିତି ? ଏଭଳି କିଛି କଥା କହି କାନ୍ଦି କାନ୍ଦି ଅଭିଯୋଗ ଆଣିଛନ୍ତି ବସଷ୍ଟାଣ୍ଡରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନେ।

ଆନନ୍ଦପୁର ଉପଖଣ୍ଡର ଘସିପୁ୍ରା ବସଷ୍ଟାଣ୍ଡ । ୧୦ମାସ ତଳେ ୪କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଏହି ବସଷ୍ଟାଣ୍ଡକୁ ନେଇ ସ୍ଥାନୀୟ ଲୋକଙ୍କ ସମେତ ଯାତ୍ରୀ ଓ ବସ୍ ଡ୍ରାଇଭର ଅନେକ ଖୁସି ଥିବାବେଳେ, ଏବେ ବସଷ୍ଟାଣ୍ଡର ଶୌଚାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଜମି ରହିଥିବା ଅଳିଆ ସମସ୍ତଙ୍କ ପାଇଁ ଦୁଃଖର କାରଣ ସାଜିଛି । ବସଷ୍ଟାଣ୍ଡ ପାର୍ଶ୍ୱ ଦେଇ ସ୍ଥାନୀୟ ଲୋକେ ଯାତାୟାତ କରିବା ମଧ୍ୟ କଷ୍ଟସାଧ୍ୟ ହୋଇଯାଇଛି । ଏଠାରେ କାର୍ଯ୍ୟରତ ସଫେଇ କର୍ମଚାରୀ ଦୀର୍ଘ ଦିନ ଧରି ଦରମା ପାଉ ନଥିବାରୁ ଏବେ ସେମାନେ ସଫେଇ କାର୍ଯ୍ୟ ବି ବନ୍ଦ ରଖିଛନ୍ତି ।

ବସଷ୍ଟାଣ୍ଡର ସଫେଇ ଠାରୁ ଆରମ୍ଭ କରି ସୁରକ୍ଷା କାର୍ଯ୍ୟ ତଦାରଖ ର ଦାୟିତ୍ୱ OSRTC ତରଫରୁ ବ୍ଲକକୁ ଦିଆ ଯାଇଥିଲା । ତେବେ ୪ ମାସ ତଳୁ ଏହାକୁ ଏକ ଠିକା ସଂସ୍ଥା ନେଇଥିବା ବେଳେ ଠିକା ସଂସ୍ଥା ନାଁରେ ବିଭିନ୍ନ ଅଭିଯୋଗ ଆଣିଛନ୍ତି କାର୍ଯ୍ୟରତ କର୍ମଚାରୀ ମାନେ । ସଫେଇ କର୍ମଚାରୀଙ୍କୁ ଦରମା ଦେବା ତ ଅଲଗା କଥା, କାର୍ଯ୍ୟରେ ରହିବା ପାଇଁ କାହାଠାରୁ ୫ ହଜାର ତ କାହାଠାରୁ ୧୦ ହଜାର ଆଦାୟ କରିଛି ଉକ୍ତ ଠିକା ସଂସ୍ଥା ।

ଏସବୁ ପରେ ମଧ୍ୟ ମାସ ମାସ ଧରି ଏମାନଙ୍କୁ ମିଳୁନି ଦରମା । ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କ ମଧ୍ୟରେ କାହାର ସ୍ୱାମୀ ଦେହ ଖରାପ ତ ଆଉ କାହାର ଛୁଆ ଦେହ ଖରାପ । ଅନ୍ୟପଟେ ଏସବୁ କାର୍ଯ୍ୟର ତଦାରଖ କରୁଥିବା ବ୍ଲକର ଜଣେ ମହିଳା କର୍ମଚାରୀ କ୍ୟାମେରା ସାମ୍ନାରେ ମୁହଁ ନଖୋଲି ତରବରିଆ ଭାବେ ଦୌଡ଼ି ପଳାଇ ଯାଉଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଗନ୍ଧମୟ ପରିବେଶକୁ ନେଇ ଯାତ୍ରୀ ଅସନ୍ତୋଷ ଅନ୍ୟପଟେ ଦରମା ନପାଇ ସଫେଇ କର୍ମୀ ହେଉଛନ୍ତି ଛଟପଟ । ତୁରନ୍ତ ମହିଳା ସଫେଇ କର୍ମୀଙ୍କୁ ଦରମା ଦେବା ସହିତ ସମସ୍ୟାର ସମାଧାନ ପାଇଁ ଦାବି ହେଉଛି ।