ଦିବ୍ୟାଙ୍ଗଙ୍କ କଷ୍ଟ ତୁରନ୍ତ ବୁଝିଲେ ଗାଇସିଲେଟ ବିଡିଓ, ମିଳିଲା ଟ୍ରାଇ ସାଇକେଲ

ବରଗଡ଼: ସାହାଯ୍ୟ ପାଇବା ଆଶାରେ ଗୁରୁଣ୍ଡି ଗୁରୁଣ୍ଡି ବିଡିଓଙ୍କ ପାଖକୁ ଧାଇଁ ଆସିଥିଲେ । ଭଙ୍ଗା ଟ୍ରାଇ ସାଇକେଲ ବିଷୟରେ ସମସ୍ତ ଦୁଃଖ ଜଣାଇଥିଲେ । ତାଙ୍କ ଦୁଃଖ ଶୁଣି ମହାନତା ଦେଖାଇଲେ ଗାଇସିଲେଟ ବିଡ଼ିଓ ଲକ୍ଷ୍ମଣ ମାଝୀ । ଏବେ ତାଙ୍କ ଖୁସିର ସୀମା ନାହିଁ ।

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ କୁଣ୍ଡାଖାଇ ଗ୍ରାମପଞ୍ଚାୟତ ଝିମବାହାଲ ଗ୍ରାମର ନିରଞ୍ଜନ ପୋଢ଼ । ଦୁଇ ଗୋଡ଼ ଅକାମୀ ହୋଇଯାଇଥିବାରୁ ଗୁରୁଣ୍ଡି ଗୁରୁଣ୍ଡି ଆସି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବ୍ଲକରେ ଉପସ୍ଥିତ ଥିବା ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲା ଉପସଭାପତି ପ୍ରବୀଣ ପାଣିଗ୍ରାହୀ ଓ ସମାଜସେବୀ ସୁଶାନ୍ତ ପଣ୍ଡା ନିରଞ୍ଜନ ପୋଢ଼ ଙ୍କ ଅବସ୍ଥା ଦେଖି ବିଡିଓ ଲକ୍ଷ୍ମଣ ମାଝୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଡ଼ିଓ ନିଜ ଚାମ୍ବରକୁ ନେଇ ଚେୟାରରେ ବସାଇ ତାଙ୍କ ଦୁଃଖ ବୁଝିଥିଲେ ।

ନିରଞ୍ଜନ ପୋଢ଼ଙ୍କ କହିବା ଅନୁସାରେ ଉଭୟ ପତି ପତ୍ନୀ ଭିନ୍ନକ୍ଷମ ଅଟନ୍ତି ୫ କେଜି ହିସାବରେ ପାଉଥିବା ରାସନ ଚାଉଳ ତାଙ୍କୁ ନିଅଣ୍ଟ ହେଉଛି । ଦୀର୍ଘ ବର୍ଷ ପୂର୍ବରୁ ପାଇଥିବା ଟ୍ରାଇ ସାଇକଲଟି ନଷ୍ଟ ହୋଇଯାଇଥିବାରୁ କୁଆଡେ ଯିବା ଆସିବା କରି ପାରୁ ନାହାଁନ୍ତି ।

ସମସ୍ୟା ଶୁଣିବା ପରେ ତୁରନ୍ତ ବିଡ଼ିଓ ଲକ୍ଷ୍ମଣ ମାଝି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶିବାନୀ ଭୋଇଙ୍କୁ ଏକ ଟ୍ରାଇ ସାଇକଲ ଦେବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଶିବାନୀ ଭୋଇ ବିଡ଼ିଓଙ୍କ ନିର୍ଦ୍ଦେଶ ପରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସହିତ ତଳେ ବସି ତାଙ୍କ କାଗଜ ପତ୍ର ଯାଞ୍ଚ କରିଥିଲେ । ସେ ଦେଖିବାକୁ ପାଇଥିଲେ ୮୦ ପ୍ରତିଶତ ଭିନ୍ନକ୍ଷମ ଅଟନ୍ତି । ତାଙ୍କର ୨ ଗୋଡ଼ ଅଚଳ ଥିବାରୁ ସେ ଚଳାବୁଲା କରି ପାରୁ ନାହାଁନ୍ତି ତେଣୁ ତାଙ୍କୁ ତୁରନ୍ତ ଏକ ଟ୍ରାଇ ସାଇକଲ ଯୋଗାଇ ଦିଆଯାଇଥିଲା ।

You might also like