ଜୀବନ ଜୀବିକା ପାଇଁ ସଂଗ୍ରାମ କରୁଛନ୍ତି ଦିବ୍ୟାଙ୍ଗ

ଭଦ୍ରକ: ଭଗବାନଙ୍କ ସୃଷ୍ଟି ହେଉଛି ବଡ଼ ବିଚିତ୍ର । ଜନ୍ମରୁ ଦୃଷ୍ଟି ଶକ୍ତି ହରାଇ ଦୁନିଆକୁ ଦେଖି ପାରୁ ନଥିବା ମଣିଷ ହେଉଛନ୍ତି ଏମାନେ। ହେଲେ ଭଗବାନ ଏମାନଙ୍କୁ ଚାଲିବା ଓ ଆଗକୁ ବଢିବା ପାଇଁ ଦେଇଛନ୍ତି ଅନେକ ଶକ୍ତି । ଦିବ୍ୟାଙ୍ଗ ହେଲେବି ସକ୍ଷମ । ଜଣେ ସାଧାରଣ ଲୋକ ଭଳି ସବୁ କିଛି କରି ପାରୁଛନ୍ତି । କିଏ ଦୃଷ୍ଟି ଶକ୍ତି ହରାଇଛି ତ ଆଉ କିଏ ଶ୍ରବଣ ଶକ୍ତି ହରାଇଛି । ହେଲେ ଗୀତ ଗାଇବା ସହ ବାଦ୍ୟଯନ୍ତ୍ର ବଜାଇବାରେ ବେଶ୍ ପାରଙ୍ଗମ । ନିଜର ବୃତ୍ତିକୁ ବଞ୍ଚାଇବା ପାଇଁ ଏମାନେ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ସହଯୋଗ ମାଗୁଛନ୍ତି । ଯିଏ ଯାହା ଦେଲେ ତାକୁ ଖୁସି ରେ ଗ୍ରହଣ କରୁଛନ୍ତି ।
ଏ ଦିବ୍ୟାଙ୍ଗ ମାନେ ହେଉଛନ୍ତି ଭଦ୍ରକ ଜିଲ୍ଲା ଆରଡ଼ି ଗାଁର । ଦିବ୍ୟାଲୋକ ବ୍ଲାଙ୍କ ଚାରିଟେବୁଲ ଟ୍ରଷ୍ଟରୁ ଆସିଛନ୍ତି । ଦିବ୍ୟ କିରଣ ନାମକ ଏକ ଭଜନ ସନ୍ଧ୍ୟା ରେ ଗୀତ ଗାଉଛନ୍ତି । ୩୦ ଜଣ ରୁ ଉର୍ଦ୍ଧ୍ବ ଦିବ୍ୟଙ୍ଗ ଉକ୍ତ ଭଜନ ସନ୍ଧ୍ୟା ରେ ଗୀତ ଗାଇବା ସହ ବାଦ୍ୟଯନ୍ତ୍ର ବଜାଇବା ସହ ଲୋକ ମାନଙ୍କର ମନୋରଞ୍ଜନ କରି ଆସୁଛନ୍ତି । ଦେଢ଼ ବର୍ଷ ହେବ ସଂସ୍ଥା ନାଁରେ ରେଜିଷ୍ଟ୍ରେସନ କରିଛନ୍ତି । ହେଲେ କିଛି ବାଦ୍ୟଯନ୍ତ୍ର କିଣିବା ଓ ମରାମତି ପାଇଁ ଲୋକ ମାନଙ୍କ ଠାରୁ ସହଯୋଗ ଲୋଡ଼ିଛନ୍ତି । ଭଲ ଭାବରେ ଦେଖା ଯାଉ ନଥିବା ଏହି ଦିବ୍ୟାଙ୍ଗଙ୍କ ସାହାରା ହେଉଛି ତାଙ୍କ ଆଶାବାଡି । ଏଇ ଆଶା ବାଡି ତାଙ୍କୁ ବାଟ କଢାଇ ନେଉଛି । ଆଉ ପହଞ୍ଚାଇ ଦେଉଛି ତାଙ୍କର ଗନ୍ତବ୍ୟ ସ୍ଥାନରେ । ଶତ ପ୍ରତିଶତ ଦିବ୍ୟାଙ୍ଗ ଏମାନେ । ହେଲେ ମନରେ ରହିଛି ଦୃଢ଼ ଇଚ୍ଛାଶକ୍ତି । ତେବେ ଏହି ଦିବ୍ୟାଙ୍ଗ ମାନଙ୍କୁ ସରକାର କିଛି ସହାୟତା ଦେଲେ ଦିବ୍ୟାଙ୍ଗ ମାନେ ନିଜର ବୃତ୍ତିକୁ ବଞ୍ଚାଇ ପାରିବେ ବୋଲି କହିଛନ୍ତି ସମାଜସେବୀ ।