ଚିକିତ୍ସାଳୟକୁ ଆସିଲେନି ଡାକ୍ତର, ପରୀକ୍ଷା ପାଇଁ ଆସି ହଟହଟା ହେଲେ ଦିବ୍ୟାଙ୍ଗ

ଯାଜପୁର: ଗରମରେ ଛଟପଟ ହେଲେ ଦିବ୍ୟାଙ୍ଗ । ଡାକ୍ତରଙ୍କୁ ଅପେକ୍ଷା କରି ଦିନ ସାରା ହନ୍ତସନ୍ତ ହେଲେ । ଦିବ୍ୟାଙ୍ଗଙ୍କୁ ପରୀକ୍ଷା ପାଇଁ ଡାକି ହଟହଟା କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଗରିବ ଦିବ୍ୟାଙ୍ଗ ବଡ଼ ବଡ଼ ହସ୍ପିଟାଲ ଯାଇ ଚିକିତ୍ସା କରିବା ଅସମ୍ଭବ । ତେଣୁ ସରକାରୀ ହସ୍ପିଟାଲରେ ଚିକିତ୍ସା କରିବା ପାଇଁ ଦୂର ଦୂରାନ୍ତରରୁ ଆସନ୍ତି । କିନ୍ତୁ ଏଠାରେ ଯେଉଁଭଳି ପରିସ୍ଥିତି ଦେଖାଯାଇଛି, ତାହା ସତରେ ଅମାନବୀୟ ।

ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦିବ୍ୟାଙ୍ଗଙ୍କୁ ପରୀକ୍ଷା ପାଇଁ ଡାକିଥିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଶହ ଶହ ଦିବ୍ୟାଙ୍ଗ ଚିକିତ୍ସା ପାଇଁ ଚିକିତ୍ସାଳୟକୁ ଆସିଥିଲେ ସତ । କିନ୍ତୁ ଦୀର୍ଘ ଘଣ୍ଟା ଅପେକ୍ଷା କରିଥିଲେ ବି ଡାକ୍ତରଙ୍କ ଦେଖା ନଥିଲା । ଆଉ ରୋଗୀମାନେ ୩ ଘଣ୍ଟା କାଳ ଅପେକ୍ଷା କରି ଅସୟ ଗରମରେ କଲବଲ ହୋଇଥିଲେ । ସେମାନଙ୍କୁ ଦିବ୍ୟାଙ୍ଗ ପରୀକ୍ଷା ପାଇଁ ଡକା ଯାଇଥିବା ବେଳେ ଡାକ୍ତରଙ୍କ ଆସିବା ବିଳମ୍ବ ଯୋଗୁ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗୋଟିଏ ପଟେ ପ୍ରବଳ ଗରମ ହେଉଥିବା ବେଳେ ପରୀକ୍ଷା ସ୍ଥାନରେ କୌଣସି ପାନୀୟ ଜଳ କି ପଙ୍ଖାର ବ୍ୟବସ୍ଥା ନଥିବାରୁ ଡହଳ ବିକଳ ହୋଇଥିଲେ ଦିବ୍ୟାଙ୍ଗମାନେ ।

ଘଟଣାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିବା ପରେ ଆଗାମୀ ଦିନରେ ଏଭଳି ଅବ୍ୟବସ୍ଥା ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏଡିଏମଓ ଅନୁପ କୁମାର ନାଥଶର୍ମା ।  ଅବହେଳିତ ଗରିବ ଦିବ୍ୟାଙ୍ଗମାନେ ମାଗଣା ଚିକିତ୍ସା ପାଇଁ ଏଠାକୁ ଦୌଡ଼ି ଆସିଥିଲେ । କିନ୍ତୁ ଏମିତି ଅବ୍ୟବସ୍ଥା ସେମାନଙ୍କ ମନରେ ଆଘାତ ଦେଇଛି । ଦିବ୍ୟାଙ୍ଗଙ୍କ ସହ ଆସିଥିବା ସମ୍ପର୍କୀୟମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଭଳି ସମସ୍ୟାରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ? ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜନ ସାଧାରଣ । ତେବେ ସମସ୍ୟାର ସମାଧାନ କେବେ ହେଉଛି ତାକୁ ହିଁ ସମସ୍ତଙ୍କ ଅପେକ୍ଷା ।

Also Read:ଦିବ୍ୟାଙ୍ଗଙ୍କ କଥା ଶୁଣିଲାନି ବ୍ଲକ ପ୍ରଶାସନ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଯୁବକ