କାମ କରୁନି ହାତର ରେଖା ଓ ଆଖିର ଜ୍ୟୋତି, ଆଧାର କାର୍ଡ ପୈଠ କରି ନପାରିବାରୁ ଦିବ୍ୟାଙ୍ଗଙ୍କ ଭତ୍ତା ବନ୍ଦ

ବାଲେଶ୍ୱର : ଦିବ୍ୟାଙ୍ଗ ହୋଇଥିବାରୁ କାମ କରୁନି ହାତର ରେଖା ଓ ଆଖିର ଜ୍ୟୋତି । ଅନଲାଇନ ପ୍ରମାଣପତ୍ର ଏବଂ ଆଧାର କାର୍ଡ ପୈଠ କରି ନପାରିବାରୁ ୯୫ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କ ଭତ୍ତା ବନ୍ଦ କରିଦେଲେ ପ୍ରଶାସନ ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତ ଖଗଡାପାଳ ଗାଁର ସ୍ବର୍ଗତ ପ୍ରୀୟଦର୍ଶନ ବାଗଙ୍କ ୩୫ ବର୍ଷିୟା ଝିଅ ରେଣୁବାଳା ୯୫ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହୋଇଥିବାରୁ ବିଛଣାରେ ଶୋଇ ରହୁଛନ୍ତି । ଜନ୍ମରୁ ତାଙ୍କର ଏପରି ଅବସ୍ଥା ହୋଇଥିବା ବେଳେ ପରିବାର ଲୋକେ ତାଙ୍କର ସେବା ଶୁଶ୍ରୁଷା କରୁଛନ୍ତି । ତାଙ୍କର ଏପରି ଅବସ୍ଥା ପାଇଁ ଦୀର୍ଘ ବର୍ଷରୁ ସରକାରଙ୍କ ପକ୍ଷରୁ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରଯାଉଥିଲା ମାତ୍ର ସରକାର ବଦଳିବା ପରେ ନିୟମ ଅନୁଯାୟୀ ସେ ବର୍ଦ୍ଧିତ ବା ୩୫ ଶହ ଟଙ୍କା ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

କିନ୍ତୁ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ଭତ୍ତା ହିତାଧିକାରୀଙ୍କ ଅନଲାଇନ ସାର୍ଟିଫିକେଟ ବାଧ୍ୟତା ମୁଳକ ହୋଇଥିବାରୁ ତାଙ୍କୁ ଅନଲାଇନ ସାର୍ଟିଫିକେଟ ଦାଖଲ ପାଇଁ କୁହା ଯାଇଥିଲା । ଯେଉଁଥି ପାଇଁ ଅନଲାଇନ ଆଧାର କାର୍ଡ ବାଧ୍ୟତା ମୁଳକ । କିନ୍ତୁ ରେଣୁବାଳା ୯୫ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କର ଆଖିର ଜ୍ୟୋତି ଏବଂ ହାତର ରେଖା କାମ କରୁ ନାହିଁ,ଯାହା ଫଳରେ ତାଙ୍କର ଆବଶ୍ୟକୀୟ କାଗଜପତ୍ର ଦାଖଲ ହୋଇ ପାରୁ ନଥିବାରୁ ବର୍ଦ୍ଧିତ ଭତ୍ତା ଦେବା ତ ଦୂରର କଥା । ପୂର୍ବରୁ ପାଉଥିବା ଭତ୍ତାକୁ ମଧ୍ୟ ବନ୍ଦ କରି ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

ଗତ ମାର୍ଚ୍ଚ ମାସରେ ସରକାର ୮୦ ବର୍ଷରୁ ଉର୍ଦ୍ଧ୍ୱ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ମାନଙ୍କ ପାଇଁ ୩୫ ଶହ ଟଙ୍କା ବର୍ଦ୍ଧିତ ଭତ୍ତା ଘୋଷଣା କରିବା ପରେ ବାଲିଆପାଳ ବ୍ଲକ ପରିସରରେ ଦିବ୍ୟାଙ୍ଗ ଚିହ୍ନଟ ମେଳା ଅନୁଷ୍ଠିତ ହୋଇଥିଲା । ରେଣୁବାଳା ସେହି ଭିନ୍ନକ୍ଷମ ମେଳାକୁ ଯାଇଥିଲେ କିନ୍ତୁ ସେ ଅନଲାଇନ ସାର୍ଟିଫିକେଟ ବଦଳରେ ଅଫଲାଇନ ସାର୍ଟିଫିକେଟ ଦେଖାଇଥିଲେ । ଯାହା ଫଳରେ ଭିନ୍ନକ୍ଷମ ଶିବିରରେ ଯୋଗ ଦେଇଥିବା ବାଲେଶ୍ୱର ସିଡିଏମଓ ତାଙ୍କ ଭତ୍ତାକୁ ବନ୍ଦ କରିବା ସହିତ ଅନଲାଇନ ସାର୍ଟିଫିକେଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅନଲାଇନ ସାର୍ଟିଫିକେଟ ପାଇଁ ଆଧାର କାର୍ଡର ଆବଶ୍ୟକ ଥିବା ବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ଆଧାର କେନ୍ଦ୍ରକୁ ନେଇଥିଲେ ମାତ୍ର ତାଙ୍କର ହାତର ରେଖା ଏବଂ ଆଖିର ଜ୍ୟୋତି ସଠିକ ହୋଇ ପାରି ନଥିଲା । ତେଣୁ ଅନଲାଇନ ସାର୍ଟିଫିକଟେ ପାଇଁ ପରିବାର ଲୋକେ ଚିନ୍ତିତ ଥିବା ବେଳେ ଚଳିତ ମାସ ତାଙ୍କୁ ପଞ୍ଚାୟତରୁ ଭତ୍ତା ଦିଆ ଯାଇନଥିଲା । ଏବେ ଔଷଧ ଖର୍ଚ୍ଚ ଏବଂ ଜୀବନ ତମାମ କିପରି ଚଳିବେ ସେହି ଚିନ୍ତାରେ ପରିବାର ଲୋକେ । ବିନା ଅନଲାଇନ ସାର୍ଟିଫିକେଟ ଏବଂ ଆଧାର କାର୍ଡରେ ଭତ୍ତା ପ୍ରଦାନ ପାଇଁ ନିବେଦନ କରିଛନ୍ତି ରେଣୁବାଳାଙ୍କ ମାଆ ।

ତେବେ ରେଣୁବାଳାଙ୍କ ଅବସ୍ଥାକୁ ଦେଖି ବିନା ଅନଲାଇନ ସାର୍ଟିଫିକେଟ ଏବଂ ଆଧାର କାର୍ଡରେ ତାଙ୍କୁ ୩୫ ଶହ ଟଙ୍କା ବର୍ଦ୍ଧିତ ଭତ୍ତା ସହିତ ଅନ୍ତୋଦୟ ଯୋଜନାରେ ୩୫ କେଜି ଚାଉଳ ପ୍ରଦାନ ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ ।

Also Read:ସଙ୍କଟାପନ୍ନ ବିଦ୍ୟୁତ ତାର ତଳେ ଗାଁର ଛଅ ପରିବାର, କେତେବେଳେ ଅଘଟଣ ଘଟିବ କହିହେବନି