କାକଟପୁର : କିଏ କୁହେ ମା ମଙ୍ଗଳା ଲଙ୍କାର ଦେବୀ ତ ଆଉ କିଏ ମାଆଙ୍କୁ ସର୍ବଭାରତୀୟା ଓ ସର୍ବ ଉତ୍କଳୟା ଦେବୀ ବୋଲି କହିଥାନ୍ତି । ଜଗତର ନାଥ ଜଗନ୍ନାଥଙ୍କ ଦାରୁର ଠିକଣା ବତାଉଥିବା ମା ’ମଙ୍ଗଳାଙ୍କ ପୀଠଟି ଓଡ଼ିଶାର ପ୍ରମୁଖ ଦେବୀ ପୀଠ ମଧ୍ୟରେ ଅନ୍ୟତମ । ମା’ଙ୍କ ଆବିର୍ଭାବକୁ ନେଇ ବିଭିନ୍ନ ପୁରାଣରୁ ବିଭିନ୍ନ କଥା ଶୁଣିବାକୁ ମିଳେ । ସେଥିପାଇଁ ତ ମା’କୁ ଟିକିଏ ଦେଖିବା ପାଇଁ କିଏ କେତେ ଦୂରରୁ ଧାଇଁ ଆସିଥାଏ । ସେହିଭଳି ଜଣେ ଭକ୍ତ ମା’ଙ୍କୁ ଟିକିଏ ଦର୍ଶନ କରିବ ବୋଲି ଧାଇଁ ଆସିଥିଲେ । ହେଲେ ମା’ଙ୍କୁ ନିକଟରୁ ଦର୍ଶନ ନପାଇ ନିରାଶ ହୋଇ ଫେରିଥିଲେ ।
ମା ମଙ୍ଗଳା ମନ୍ଦିରକୁ ପ୍ରତ୍ୟେକ ଦିନ ଶତାଧିକ ଭକ୍ତ ଆସିଥାନ୍ତି, ଭକ୍ତ ମାନେ ମାଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ଆନନ୍ଦ ମନରେ ଫେରିଥାନ୍ତି । ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସୁ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ନିକଟରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ମା ମଙ୍ଗଳାଙ୍କୁ ଦର୍ଶନ କରିବାକୁ ଆସିଥିବା ଜଣେ ମହିଳା ଭିନ୍ନକ୍ଷମ ଭକ୍ତ ହୁଇଲ ଚେୟାରରେ ଆସିଥିବା ବେଳେ ମା ମଙ୍ଗଳାଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ।
ତେବେ ମହିଳା ଭକ୍ତ ଜଣକ ହେଉଛନ୍ତି ଯାଜପୁର ଅଞ୍ଚଳର ଶ୍ୱେତପଦ୍ମା । ସେ ହୁଇଲ ଚେୟାରରେ ଆସିଥିଲେ ବୋଲି ତାଙ୍କୁ ମନ୍ଦିର ଭିତରକୁ ଛାଡିବାକୁ ଦେଇନଥିଲେ ସୁରକ୍ଷାକର୍ମୀ । ପୁରୀ ଜଗନାଥ ମନ୍ଦିରରେ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଥିବା ବେଳେ ସେହି ପୁରୀ ଜିଲ୍ଲାରେ ରହିଥିବା କାକଟପୁର ମା ମଙ୍ଗଳା ମନ୍ଦିରରେ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗିବା ଏକ କ୍ଷୋଭର ବିଷୟ ବୋଲି କହିଛନ୍ତି ସେବାୟତ ।