ନିଆରା ଗୁରୁ ଶିଷ୍ୟ ପରମ୍ପରା, ଗୁରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୭୦ କିମି କାନ୍ଧରେ ବୋହି ଆଣିଲେ ଶିଷ୍ୟ

ଉମରକୋଟ: ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର; ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ । ଗୁରୁ… କେବେ ସେ ବିଦ୍ୟା ଅଧ୍ୟୟନ କରାନ୍ତି ତ କେବେ ସମାଜରେ ବଞ୍ଚିବା ଶିଖାନ୍ତି । କେବେ ସେ ଲହୁଣୀ ପରି କୋମଳ ତ କେବେ ସେ ଛାଟ ଧରି ଶିଷ୍ୟର ଶାସନ କରିବାରେ ଧୁରନ୍ଧର । ସେ ଅନ୍ୟ କେହି ନୁହେଁ ଜୀବନର ପ୍ରତ୍ୟେକଟି ସୋପାନ ଯାହା ବିନା ଅଧୁରା ସେ ହିଁ ଗୁରୁ । ଗୁରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସହ ତୁଳନୀୟ । ଭାରତୀୟ ସଂସ୍କୃତିରେ ଗୁରୁ ମାନଙ୍କ ସ୍ଥାନ ସର୍ବଦା ସର୍ବୋଚ୍ଚରେ । ସୁସ୍ଥ ସମାଜର ବିକାଶରେ ଯାହାର ମୁଖ୍ୟ ଭୁମିକା ଥାଏ ସେ ହେଉଛନ୍ତି ଗୁରୁ । ସୃଷ୍ଟିର ଆରମ୍ଭରୁ ଗୁରୁ ଶବ୍ଦର ମହତ୍ୱ ଆମ ସମାଜରେ ରହି ଆସିଅଛି ।

କିନ୍ତୁ ଆଜିର ଆଧୁନିକ ସଭ୍ୟତା ଯେତେ ବିକାସ ଆଡକୁ ଆଗଉଛି ଧିରେ ଧିରେ ଗୁରୁ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କ ନଷ୍ଟ ହେବାକୁ ଲାଗିଲାଣି । କିନ୍ତୁ ଆଜିର ଏ ଆଧୁନିକ ଯୁଗରେ ମଧ୍ୟ ଏଭଳି କିଛି ଶିଷ୍ୟ ଅଛନ୍ତି ଯେଉଁମାନେ ନିଜ ଗୁରୁଙ୍କୁ ଭଗବାନଙ୍କ ପରି ମାନନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରରେ । ଅସୁସ୍ଥ ଗୁରୁଙ୍କୁ ଦୀର୍ଘ ୭୦ କିଲୋମିଟର ଭାରରେ ବୋହି ବୋହି ଆଣିଲେ ଶିଷ୍ୟ । ତ୍ୟାଗର ପ୍ରତୀକ ଭାବେ ଉଦାହରଣ ସୃଷ୍ଟି କରିଥିବା ମହିମା ଧର୍ମର ଏହି ଗୁରୁକୌଣସି ଯାନବାହନରେ ବସନ୍ତି ନାହିଁ ।

ସେହିଭଳି ଗୁରୁ ବ୍ରହ୍ମ ଅବଦୁତ ଗୌରାଙ୍ଗ ଚରଣ ବାବା ସମାଜରେ ଯେଉଁ କୁସଂସ୍କାର ରହିଛି ତାକୁ ଦୂର କରିବା ସହ ବିଶ୍ୱ ଶାନ୍ତି ପାଇଁ ବିଭିନ୍ନ ଗ୍ରାମକୁ ଗସ୍ତ କରି ଲୋକଙ୍କ ନିକଟରେ ସଠିକ ବାର୍ତ୍ତା ପହଞ୍ଚାଇଥାନ୍ତି । ବାବା ଜଣେ ବକଳ ଧାରୀ ହୋଇଥିବାରୁ ସେ ପିଲାବେଳୁ ଏକ ସଂକଳ୍ପ କରିଛନ୍ତି ଯେ ସେ ଆଧୁନିକ ଯୁଗର ଯାକ ଜମକ ଏବଂ ଗାଡି ବ୍ୟବହାର ନକରି ଚାଲି ଚାଲି ମୃତ୍ୟୁ ପର୍ଯ୍ୟନ୍ତ ଧର୍ମ ପ୍ରଚାର କରିବେ । ତେଣୁ ଯେତେ ଦୂର ହେଲେ ମଧ୍ୟ ବାବାଙ୍କୁ ତାଙ୍କ ଶିଷ୍ୟ ମାନେ ପାଲିଙ୍କି ସାହାଯ୍ୟରେ କାନ୍ଧରେ କାନ୍ଧେଇ ନେଇଥାନ୍ତି ।

ଘଟଣା ପ୍ରକାରେ ଗତ କିଛିଦିନ ତଳେ ଗୌରାଙ୍ଗ ବାବା ଛତିଶଗଡ଼ ରାଜ୍ୟରୁ ଉମରକୋଟ ବ୍ଲକର ବେନରା ପଞ୍ଚାୟତର ବଡ଼ଗାଁ ଗ୍ରାମ ଠାରେ ଏକ ଅଲେଖ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆସିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ତେଣୁ ଶିଷ୍ୟଙ୍କ ନିଷ୍ପତି କ୍ରମେ ବାବାଙ୍କୁ ତାଙ୍କର ପ୍ରାୟ ୧୦ ରୁ ୧୫ ଜଣ ଶିଷ୍ୟ ଦୀର୍ଘ ୭୦ କିଲୋମିଟର କାନ୍ଧରେ କାନ୍ଧେଇ ଉମରକୋଟ ଆଣି ଚିକିତ୍ସା କରାଇଥିଲେ । ସୂଚନା ଅନୁଯାୟୀ ବାବା ଛତିଶଗଡ଼ର ହୋଇଥିଲେ ମଧ୍ୟ ସେ ବିଭିନ୍ନ ଅଞ୍ଚଳକୁ ଯାଇ ଅଲେଖ ମହିମା ଧର୍ମ ପ୍ରଚାର କରନ୍ତି ଓ ପାଲିଙ୍କିରେ ଶିଷ୍ୟମାନେ ନେବା ଆଣିବା କରିଥାନ୍ତି ।

ଅତୀତରେ ଗୁରୁ ଶିଷ୍ୟର ପରମ୍ପରା ଥିଲା ସବୁଠାରୁ ମର୍ଯ୍ୟାଦାପୂର୍ଣ୍ଣ । ଯାହା ଧୀରେ ଧୀରେ ଆଧୁନିକତାର ଛାପରେ ହଜି ଯାଇଛି । କେବଳ ଗୁରୁ ଦିବସରେ କିମ୍ବା ଔପଚାରିକତା ଦେଖାଇବାକୁ ପାଳନ ହେଉଛି । ହେଲେ ମହିମା ଧର୍ମରେ ଏବେବି ସେଇ ପୁରାତନ ଗୁରୁ ଶିଷ୍ୟର ପରମ୍ପରାକୁ ଅତ୍ୟନ୍ତ ସମ୍ମାନର ସହ ପାଳନ କରାଯାଉଛି । ଗୁରୁଭକ୍ତିର ନିଦର୍ଶନ ଦେଖାଇଛନ୍ତି ଶିଷ୍ୟମାନେ । ସତରେ ଏଭଳି ପରମ୍ପରା ଆମ ଭାରତୀୟ ସଂସ୍କୃତିର ମହାନତାକୁ ଦର୍ଶାଉଛି ।

Also read: ଶ୍ରେଣୀ ଗୃହର ଅଭାବ, ମାତ୍ର ଦୁଇଟି କକ୍ଷରେ ପାଠ ପଢ଼ୁଛନ୍ତି ୬ଟି ଶ୍ରେଣୀର ପିଲା