ଦେବୀ ନଦୀରୁ ଉଦ୍ଧାର ହୋଇଥିବା କାତ୍ୟାୟନୀ ମୂର୍ତ୍ତିକୁ ନେଇ ଗ୍ରାମବାସୀ ଏବଂ ଉଦ୍ଧାରକାରୀ ମାତାଜୀଙ୍କ ମଧ୍ୟରେ ବିବାଦ

କାକଟପୁର: ନଦୀରୁ ଉଦ୍ଧାର ଗୋଟିଏ ମୂର୍ତ୍ତିକୁ ନେଇ ଏବେ ଚାଲିଛି ଟଣାଓଟରା । ଉଦ୍ଧାର ହୋଇଥିବା କାତ୍ୟାୟନୀ ମୂର୍ତ୍ତିକୁ ନେଇ ଘମାଘୋଟ ବିବାଦ । ଗ୍ରାମବାସୀ ଏବଂ ମୂର୍ତ୍ତି ଉଦ୍ଧାରକାରୀ ମାତାଜୀଙ୍କ ମଧ୍ୟରେ ଯୁକ୍ତିତର୍କ । ଗ୍ରାମବାସୀଙ୍କ ପ୍ରଶ୍ନ, କେମିତି ମାତାଜୀ ଜାଣିଲେ ନଦୀ ଗର୍ଭରେ ମାଆଙ୍କ ମୂର୍ତ୍ତି ଅଛି ? ପୁଣି ନିର୍ଦ୍ଦିଷ୍ଟ ସ୍ଥାନରୁ ଉଦ୍ଧାର କଲେ ? କଣ ସ୍ବପ୍ନାଦେଶ କରିଥିଲେ ମା’? ନା କାହାର ଆଦେଶ ଥିଲା ? ମା’ଙ୍କୁ ନେଇ ଏମିତି ଅନେକ ପ୍ରଶ୍ନରେ ଛନ୍ଦି ହୋଇଯାଇଛନ୍ତି ଉଦ୍ଧାରକାରୀ ମାତାଜୀ ଜଣକ ।

ଆସନ୍ତୁ ପୂରା ଘଟଣା ଜାଣିବା ।…ପୁରୀ ଓ ଜଗତସିଂହପୁର ଜିଲ୍ଲା ସୀମାନ୍ତ ଅଞ୍ଚଳ ଶିଖରଘାଟ ଠାରେ ପ୍ରବାହିତ ହେଉଛି ଦେବୀ ନଦୀ । ସେହି ନଦୀରୁ ଉଦ୍ଧାର ହୋଇଥିବା ଏକ ଦେବୀ ମୂର୍ତ୍ତିକୁ ନେଇ ଗାଁ ଲୋକ ଏବଂ ଉଦ୍ଧାରକାରୀ ସନ୍ୟାସୀ ବେଶ ଧାରୀ ପଦ୍ମାବତୀ ଦେବୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଯାହାକୁ ନେଇ ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଯାହା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ଜଣେ ମହିଳା ଯେ କି ସନ୍ୟାସୀ ବେଶ ଧାରଣ କରିଛନ୍ତି କିଛି ଲୋକ ଏବଂ ଗୋଟିଏ ବୋଟ୍ ନେଇ ଆଜି ହଠାତ୍ ଦେବୀ ନଦୀକୁ ଆସିଥିଲେ । କାହାକୁ କିଛି ନ କହି ନଜଣାଇ ବୋଟ ସହାୟତାରେ ଦେବୀ ନଦୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବୁଲିଥିଲେ । ସାଙ୍ଗରେ ଆଣିଥିବା ବୁଡାଳିଙ୍କ ସହାୟତାରେ ଦେବୀ ନଦୀ ପାଣି ଭିତରୁ ଏକ କଳା ମୁଗୁନି ପଥରର ଦେବୀ ମୂର୍ତ୍ତି ଉଦ୍ଧାର କରିଥିଲେ । ଉଦ୍ଧାର ମୂର୍ତ୍ତିକୁ ବୋଟ୍ ରେ ରଖି କୂଳକୁ ଆଣିଥିଲେ । ତେବେ ଏହାକୁ ନେଇଯିବା ପାଇଁ ଗାଡିରେ ଲଦି ବାହରିଲା ବେଳକୁ ଖବରପାଇ ନିକଟସ୍ଥ ବିଲିପଡା ଏବଂ ଶିଖର ଗ୍ରାମର ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ମୂର୍ତ୍ତି ସମ୍ପର୍କରେ ପଚରା ଉଚରା କରିଥିଲେ। ଯାହାକୁ ନେଇ ପଦ୍ମାବତୀ ଦେବୀ ଏବଂ ତାଙ୍କ ସହଯୋଗୀଙ୍କ ସହିତ ଗାଁ ଲୋକଙ୍କର ଯୁକ୍ତିତର୍କ ହୋଇଥିଲା । ମୂର୍ତ୍ତିଟି ସ୍ଥାନୀୟ ଦେବୀ ନଦୀ ଭିତରୁ ଉଦ୍ଧାର ହୋଇଥିବା ଯୋଗୁ ଗ୍ରାମବାସୀ ମୂର୍ତ୍ତିଟିକୁ ନେଇ ଗାଁରେ ରଖିଥିଲେ । ଏ ଖବର ନାଉଗାଁ ଥାନାରେ ପହଞ୍ଚି ଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ଦେବୀନଦୀରୁ ଉଦ୍ଧାର ହୋଇଥିବା ଦେବୀ ମୂର୍ତ୍ତିକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାକୁ ଉଦ୍ଧାର କରିଥିବା ମହିଳା ସନ୍ୟାସୀ ପଦ୍ମାବତୀ ଦେବୀଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ମହିଳା ଜଣକ ନିଜକୁ ଜଣେ ସନ୍ୟାସିନୀ ଭାବେ ପରିଚୟ ଦେଇଛନ୍ତି । ମୂର୍ତ୍ତିଟି ନଦୀ ଜଲରୁ କାଢ଼ିବା ପାଇଁ ତାଙ୍କୁ ନିର୍ଦ୍ଦେଶ ହୋଇଥିବା କଥା ସେ କହିଥିଲେ । କିନ୍ତୁ କ୍ୟାମେରା ସାମ୍ନାରେ କହିଥିଲେ କିଛି ଅଲଗା କଥା । ଏ ମୂର୍ତି ଆମର ପୀଠ କାକଟପୁର ମଙ୍ଗଳାଙ୍କ ନିକଟକୁ ଯିବାର ଅଛି । ମା ମଙ୍ଗଳା ଙ୍କ ଆଜ୍ଞାମାଳ ତାଙ୍କୁ ପ୍ରାପ୍ତ ହୋଇଥିବା କଥା କହିଥିଲେ । ତେବେ ପୁଣି କଥା ବଦଳାଇ କେତେବେଳେ କହୁଛନ୍ତି ଯେ ମୋତେ ନିର୍ଦ୍ଦେଶ ହେଲା ମୁଁ ଉଦ୍ଧାର କରିଛି । ପୁଣି କେତେବେଳେ କହୁଛନ୍ତି ଯେ ପଞ୍ଚସଖା ଯୁଗର ମହାପୁରୁଷ ଅଚ୍ୟୁତା ନନ୍ଦ ଗୋସ୍ଵାମୀଙ୍କ ଚକଡା ମଡାଣରେ ଏହି ମୂର୍ତ୍ତି ବିଷୟରେ ବର୍ଣ୍ଣନା କରାଯାଇଛି । ଏରସମା ନିକଟ ବଡବିସୋନପୁର ଠାରେ ଥିବା ମା କାତ୍ୟାୟନିଙ୍କ ପୀଠରେ ଏହି ମୂର୍ତ୍ତି ପୂଜା ପାଉଥିଲା । ପରବର୍ତୀ ସମୟରେ ଏହା ଦେବୀନଦୀ ମଧ୍ୟରେ ଗୁପ୍ତ ହୋଇଯାଇଥିଲା । ମୋତେ ନିର୍ଦ୍ଦେଶ ହେଲା ପରେ ମୁଁ ଉଦ୍ଧାର କଲି ।

ତେବେ ପଦ୍ମାବତୀଙ୍କ ଏଭଳି କଥାକୁ ନେଇ ଗାଁ ଲୋକେ ତାଙ୍କୁ ପ୍ରଶ୍ନ କରିଥିଲେ । ତୁମେ କିଭଳି ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ମୂର୍ତ୍ତିକୁ ବାହାର କଲ ? ତାର ସନ୍ତୋଷ ଜନକ ଉତ୍ତର ମିଳି ନଥିଲା । ଏଭଳି ଯୁକ୍ତିତର୍କ ପରେ ଗାଁ ଲୋକେ ଉଦ୍ଧାର ହୋଇଥିବା ମୂର୍ତ୍ତିକୁ ନିଜ ଗାଁର ଏକ ଘରେ ରଖିଥିଲେ।

ଉଦ୍ଧାର ହୋଇଥିବା ମୂର୍ତ୍ତିଟିର ପାରିପାର୍ଶ୍ବିକ ଅବସ୍ଥା ଦେଖିବା ପରେ ଏହା କୌଣସି ପୁରାତନ ନୁହେଁ ନୂଆ କରି ନିର୍ମାଣ ହୋଇଥିବା ମୂର୍ତ୍ତି ପରି ଦେଖାଯାଉଛି । ଦେବୀଙ୍କ ଓଠରେ ନାଲି ରଙ୍ଗ ଲାଗିଥିବା ଦେଖିବାକୁ ମିଳିଛି । ମୂର୍ତ୍ତିଟି ଯଦି ଏତେ ଦିନ ପାଣିରେ ପଡ଼ି ରହିଥିଲା ତେବେ ସେଭଳି କିଛି ଚିହ୍ନ ସେଥିରେ ପରିଲକ୍ଷିତ ହେଉନାହିଁ ।

Also Read:ସିମେଣ୍ଟ ବୋଝେଇ ପିକଅପ ଗାଡ଼ି ଧକ୍କାରେ ଚାଲିଗଲା ଲୁନିର ଜୀବନ, ମୁଣ୍ଡ ପିଟି କାନ୍ଦୁଛି ପରିବାର