ଦୁଇ ଏକର ଜମି ପାଇଁ ବିବାଦ, ପ୍ରଶାସନର ଦ୍ବାରସ୍ଥ ହେଲେ ଉଭୟ ଗୋଷ୍ଠୀ

ଭଂଜନଗର : ଜମିକୁ ନେଇ ଗଣ୍ଡଗୋଳ । ଦୁଇ ଏକର ଜମିକୁ ନେଇ, ଗାଁରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦୀୟ ପରିସ୍ଥିତି । ବିବାଦୀୟ ଜମିରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରିହେବା ପରେ, ଧାନ ଫସଲ କାହାର ହେବ ସେନେଇ ପ୍ରଶାସନର ଦ୍ବାରସ୍ଥ ହେଲେ ଉଭୟ ଗୋଷ୍ଠୀ । ଉଭୟ ପକ୍ଷକୁ ଡକାଇ ପ୍ରଶାସନିକ ସ୍ତରରେ ବୈଠକ ହେଲା, ତଥାପି ସମାଧାନ ହୋଇ ପାରିଲା ନାହିଁ ।

ଏଭଳି ଘଟଣା ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡଦୋଡଙ୍ଗା ଗାଁରେ ସୃଷ୍ଟି ହେଇଛି । ଭଂଜନଗର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ, ଉଭୟ ଗୋଷ୍ଠୀର ଶତାଧିକ ପୁରୁଷ ଓ ମହିଳା ଜମା ହୋଇଥିଲେ । ବଡଦୋଡଙ୍ଗା ଗାଁରେ ଥିବା ପ୍ରାୟ ଦୁଇ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିରେ, ହରିଜନ ସମ୍ପ୍ରଦାୟର ଲୋକେ ଚଳିତବର୍ଷ ଧାନଚାଷ କରିଥିଲେ ।

ତେବେ ଏହାର ପ୍ରତିବାଦ କରି ଗାଁ ଲୋକେ ପୋଲିସ ଓ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ, ସଂପୃକ୍ତ ଜମିରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଉଭୟ ଗୋଷ୍ଠୀଙ୍କୁ ଡକାଇ ପୋଲିସ ଓ ପ୍ରଶାସନ ପକ୍ଷରୁ ପ୍ରାୟ ତିନିଘଣ୍ଟା ସମୟ ଧରି ଆଲୋଚନା ହୋଇଥିଲେ ମଧ୍ୟ, କୈାଣସି ପ୍ରକାର ନିର୍ଯ୍ୟାସ ବାହାରି ପାରିଲା ନାହିଁ । ଏହି ଘଟଣାକୁ ନେଇ ଗାଁର ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ, ଚାପା ଅସନ୍ତୋଷ ଲାଗି ରହିଛି ।