ଉଦଳାରେ ଟଙ୍କା ବାଣ୍ଟିବା ବେଳେ ମହିଳାଙ୍କୁ ମାଡି ବସିଲା ପୋଲିସ, ଜବତ ହେଲା୧ ଲକ୍ଷ ୯୧ ହଜାର ଟଙ୍କା

ଉଦଳା (କେନ୍ୟୁଜ): ରାତିରେ ଅନ୍ଧାରୀ ବିଜେ କରିଲେ ଆଉ ଗାଁରେ ପହଞ୍ଚି ଖାମରେ ପୁରାଇ ଟଙ୍କା ବାଣ୍ଟୁଥିଲେ । ହେଲେ ଏତିକି ବେଳେ ମାଡି ବସିଲା ପୋଲିସ । ଆଉ ଜବତ ହେଲା ଟଙ୍କା । ଏପରି ଘଟଣା ଘଟିଛି ଉଦଳା ଥାନା ଗୋଧିମରା ଗାଁରେ । ଭୁବନେଶ୍ୱରରୁ ଦାମୀ ଗାଡିରେ ଜଣେ ମହିଳା ଏବଂ ପୁରୁଷ ଆସି ଖାମ ଭିତରେ ଟଙ୍କା ଭର୍ତ୍ତି କରି ବାଣ୍ଟୁଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିବା ସହିତ ଟଙ୍କା ଜବତ କରିଛି । ମହିଳା ଜଣଙ୍କ ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳର ବିଜୟଲକ୍ଷ୍ମୀ ମହାପାତ୍ର ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ ଗତକାଲି ରାତିରେ ଉଦଳା ଥାନା ଗୋଧିମରା ଗ୍ରାମରେ ଭୁବନେଶ୍ୱରରୁ ଆସି ଟଙ୍କା ବାଣ୍ଟୁଥିଲେ ବିଜୟଲକ୍ଷ୍ମୀ ମହାପାତ୍ର ଏବଂ ଦିବ୍ୟଜ୍ୟୋତି ଜେନା। ଘଟଣାସ୍ଥଳରେ ଉଦଳା ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଥାନାକୁ ଆଣିବା ସହିତ ଗାଡିକୁ ଜବତ କରିଛି । ମହିଳାଙ୍କ ଭ୍ୟାନୀଟି ଭିତରୁ ଟଙ୍କା ଭର୍ତ୍ତି ଖାମ ଜବତ କରିଥିଲା ପୋଲିସ । ଖାଲି ସେତିକି ନୁହେଁ ଅନ୍ୟ ଦୁଇଟି ବ୍ୟାଗରୁ ମଧ୍ୟ ଟଙ୍କା ଜବତ ହୋଇଛି । ପ୍ରତି ଖାମରେ ଦୁଇ ହଜାର ଟଙ୍କା ଲେଖାଏଁ ଭର୍ତ୍ତି ହୋଇଥିଲା । ସମୁଦାୟ ୧ ଲକ୍ଷ ୯୧ ହଜାର ଟଙ୍କା ବଣ୍ଟା ହେବା ନିମନ୍ତେ ଆସିଥିଲା । ବିଜୟଲକ୍ଷ୍ମୀ ମହାପାତ୍ର ଏବଂ ଦିବ୍ୟଜ୍ୟୋତି ଜେନାଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି । କେଉଁ ଦଳ ପାଇଁ ଟଙ୍କା ବଣ୍ଟା ଚାଲିଥିଲା ତାହାର ତଦନ୍ତ କରୁଛି ପୋଲିସ ।