ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ରେ ଚାଲିଛି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ, ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ

ଟାଙ୍ଗୀ: ଓଡ଼ିଶାରେ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା । ଯୋଜନାର ଶୁଭାରମ୍ଭ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏହା ସହିତ ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ମଧ୍ୟ ବଣ୍ଟନ କରିଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ରାଜ୍ୟ ସରକାର ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରିଛନ୍ତି । ଏହା ଇନ୍ସୁରାନ୍ସ ଯୋଜନା ନୁହେଁ, ଆସୁରାନ୍ସ ଯୋଜନା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ । ତେବେ ଗତ ୧୧ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଐତିହାସିକ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଲୋକାର୍ପଣ କରିଥିଲେ ।
ଏହି ପରିପେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ଏହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସାତ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯଥା କୁହୁଡି, କାନ୍ତଳବାଇ, ଭୂଷଣ୍ଡପୁର, ନିରାକାରପୁର, ରାମେଶ୍ୱର, ଛଣଗିରି ଅଧୀନରେ ୨୬ଗୋଟି ପଞ୍ଚାୟତରେ ଚାଲିଛି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ । ସ୍ଥାନୀୟ ଆଶା କର୍ମୀ ମାନେ ନିଜ ନିଜ ଅଞ୍ଚଳର ହିତାଧିକାରୀଙ୍କ ଘରକୁ ଘର ବୁଲି କାର୍ଡ ବଣ୍ଟନ କରୁଛନ୍ତି । କାର୍ଡ ବଣ୍ଟନ ସହିତ eKYC ପାଇଁ ଆଶା ଦିଦିଙ୍କ ସାଥିରେ CSC କର୍ମକର୍ତ୍ତା ମଧ୍ୟ ଯାଉଛନ୍ତି ।
ଟାଙ୍ଗୀ ବ୍ଲକ ରତନପୁର ଗ୍ରାମ ପଂଚାୟତ ଛେଳିଆସାହି ଅଙ୍ଗନବାଡି କେନ୍ଦ୍ର ଅଧୀନରେ ଥିବା ସାହିରେ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସମୟରେ ଖୋର୍ଦ୍ଧା ଜିଲ୍ଲପାଳ ଚଞ୍ଚଳ ରଣା ସେଠାରେ ପହଁଚି ସ୍ଥାନୀୟ ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ eKYC କିପରି ଚାଲିଛି ତାହା ତଦାରଖ କରିଥିଲେ । ଜିଲ୍ଲାପାଳ କହିଥିଲେ ପର୍ଯ୍ୟାୟ କ୍ରମେ ସମସ୍ତେ ରାସନ କାର୍ଡ ହିତାଧିକାରୀ ଏହି ସ୍ୱାସ୍ଥ୍ୟ କାର୍ଡ ପାଇବେ । ଏଥି ପାଇଁ କେହି ବ୍ୟସ୍ତ ହେବାର ଦରକାର ନାହିଁ ।
ସମସ୍ତ ଗ୍ରାମର ୭୦ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି ବୟୋ ବନ୍ଦନା ସ୍ୱାସ୍ଥ୍ୟ କାର୍ଡ ପାଇଁ ସେମାନେ ନିଜ ନିଜର ନାମ ସଂଯୋଗ ପାଇଁ ଆବେଦନ କରିବାକୁ ନିବେଦନ କରିଛନ୍ତି । ଉକ୍ତ ପରିଦର୍ଶନ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ, ଟାଙ୍ଗୀ ବିଡ଼ିଓ ରୁମାନା ଜାଫର, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପବ୍ଲିକ ହେଲଥ ଅଫିସର ଝୁମା ରାଣୀ ଚକ୍ରବର୍ତ୍ତୀ,ଏଏନଏମ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ CSC ଅପରେଟର ଉପସ୍ଥିତ ରହିଥିଲେ ।
ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଯେତେ ତତ୍ପର, କାର୍ଡକୁ ନିଜ ଘର ପାଖରେ ପାଇ ସେତିକି ଖୁସିରେ ଆତ୍ମହରା ହୋଇପଡିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ହିତାଧିକାରୀ ।
ଆହୁରି ପଢନ୍ତୁ: ପ୍ରକାଶ ପାଇଲା ଏକାଡେମିକ୍ କ୍ୟାଲେଣ୍ଡର, ମେ ୬ରୁ ଜୁନ୍ ୧୯ ଯାଏଁ ଖରା ପାଇଁ ସ୍କୁଲ ଛୁଟି