ମୟୂରଭଞ୍ଜ ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ସରକାରୀ କାର୍ଯ୍ୟାଳୟରେ ବନ୍ଦ ହେବ ପ୍ଲାଷ୍ଟିକ ସାମଗ୍ରୀ

ମୟୂରଭଞ୍ଜ: ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କିନ୍ତୁ ଅମାନିଆ ଲୋକ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରୁ ନାହାନ୍ତି । ଏସବୁକୁ ନଜରରେ ରଖି ମୟୁରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ଏକ ଭିନ୍ନ ପ୍ରୟାସ । ଏବେ କୌଣସି ସରକାରୀ ଅଫିସ ଏବଂ ମିଟିଂରେ ପ୍ଲାଷ୍ଟିକ୍ ତିଆରି ଜିନିଷ ବ୍ୟବହାର ହେବ ନାହିଁ । ଏମିତି କିଛି ଭିନ୍ନ ନିଷ୍ପତି ନେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ।
ମୟୂରଭଞ୍ଜ ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପ । ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏଭଳି ଏକ ଦୃଢ ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟାଳୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ଯେ କୌଣସି ସରକାରୀ ବୈଠକ କିମ୍ବା ସମ୍ମିଳନୀରେ ପ୍ଲାଷ୍ଟିକ କପ, ପ୍ଲେଟ ଆଦିର ବ୍ୟବହାର କରାଯିବ ନାହିଁ। ଏଥି ନେଇ ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
‘ପ୍ଲାଷ୍ଟିକରେ ଥିବା କେମିକାଲ ପରିବେଶ ପାଇଁ ବଡ଼ ସମସ୍ୟା’ । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଯଥା ଚା’ କପ, ଗ୍ଲାସ, ଫୁଲ, ଷ୍ଟ୍ର,ପାଣି ବୋତଲ ଇତ୍ୟାଦିରେ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ନିହାତି ଜରୁରୀ । ତେଣୁ ସମସ୍ତ ସରକାରୀ ବୈଠକରେ ହସ୍ତତନ୍ତ ସାମଗ୍ରୀ ବ୍ୟବହାର ଏବଂ ଏହାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ଯାହା ପରିବେଶ ପ୍ରତି କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନଥାଏ । ଏହା ଦ୍ୱାରା ଆମେ ସିଧାସଳଖ ଓଡିଶାର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସାହାଯ୍ୟ କରିପାରିବା । ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ହେଲେ ପ୍ରଥମେ ସରକାରୀ ଅଧିକାରୀ ଓ କର୍ମଚାରୀ ଏହି ନିୟମକୁ ପାଳନ କରିବା ଜରୁରୀ ବୋଲି କହିଛନ୍ତି ଜିଲ୍ଲାପାଳ ।
ପ୍ଲାଷ୍ଟିକ୍ ଏମିତି ଏକ ଜିନିଷ ଯାହା କେବେ ବି ନଷ୍ଟ ହୁଏନି । ବର୍ଷ ବର୍ଷ ଧରି ଏହା ଯେମିତିକୁ ସେମିତି ଥାଏ । ପ୍ଲାଷ୍ଟିକ୍ ବ୍ୟବହାର କରିବା ଦ୍ୱାରା ପରିବେଶ ଏତେ ପ୍ରଦୂଷଣ ହେଉଛି ଯେ ଗ୍ଲୋବାଲ ଓ୍ଵାର୍ମିଂ ଭଳି ପରିସ୍ଥିତି ସୃଷ୍ଟି ହେଲାଣି । ଏତେ ସବୁ ପରେ ବି ଲୋକଙ୍କ ମୁଣ୍ଡରେ ଚେତା ପଶୁନି । ଯଦି ଏମିତି ପ୍ଲାଷ୍ଟିକ୍ କୁ ବହୁଳ ଭାବେ ବ୍ୟବହାର କରାଯାଏ ତେବେ ପରିସ୍ଥିତି ଅଣାୟତ ହେବ । ଅନେକ ସମୟରେ ପ୍ଲାଷ୍ଟିକ୍ ପଲିଥିନ ଖାଇ ଜୀବଜନ୍ତୁ ଓ ଗୃହପାଳିତ ପଶୁମାନେ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି । ତେଣୁ ବର୍ତ୍ତମାନ ମୟୂରଭଞ୍ଜ ଜିଳ୍ଲାରେ ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ଅପରପକ୍ଷେ ଜିଲ୍ଲାପାଳଙ୍କ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପଦକ୍ଷେପକୁ ଜିଲ୍ଲା ବାସିନ୍ଦା ସ୍ୱାଗତ ଜଣାଇଛନ୍ତି ।