ଉଦଘାଟନ ହୋଇପାରୁନି ନିର୍ମାଣାଧିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁରୁଣା କୋଠା ବାରଣ୍ଡାରେ ଚାଲିଛି ରୋଗୀ ସେବା

ଦେବଗଡ ଜିଲ୍ଲାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗଇ ଦେବା ଲକ୍ଷ୍ୟରେ ପୂର୍ବ ସରକାର ସମୟରେ ନୂଆ ବାଲିରୋଇଠାରେ ନୂତନ କୋଠା ନିର୍ମାଣ ପାଇଁ ମଞ୍ଜୁରି ଦିଆଯାଇଥିଲା । ୪୦ ଏକର ପରିମିତ ଜମିରେ ୧୪୩ କୋଟି ଟଙ୍କା ବ୍ୟୟ ଅଟଳଳରେ ୭ମହଲା ବିଶିଷ୍ଠ ନୂତନ କୋଠା ନିର୍ମାଣ ପାଇଁ ମିଳିଥିଲା ମଞ୍ଜୁରି । ଏକ ଠିକା କମ୍ପାନୀ ଦ୍ଵାରା ୩ଶହ ଶଯ୍ୟା ବିଶିଷ୍ଠ ନୂତନ ଚିକିତ୍ସାଳୟ କୋଠା ନିର୍ମାଣ କାର୍ଯ୍ୟ କରା ଯିବା ପରେ ଗତ ୨୦୨୪ଏପ୍ରିଲ ମାସରେ ସ୍ଵାସ୍ଥ୍ୟ ବିଭାଗକୁ ଉକ୍ତ କମ୍ପାନୀ ହସ୍ତାନ୍ତର କରିଥିଲା । ହେଲେ ହସ୍ତାନ୍ତର କରିବାର ପ୍ରାୟ ବର୍ଷେ ହେବାକୁ ବସିଥିବା ବେଳେ ସରକାର ପରିବର୍ତ୍ତନ ଯୋଗୁଁ ଲୋକାର୍ପଣ ହୋଇପାରୁ ନାହିଁ ଜିଲ୍ଲା ମୁଖ୍ୟ ଚିକିସାଳୟର ନୂତନ କୋଠା ।
ନୂତନ ଅତ୍ୟାଧୁନିକ କୋଠାରେ ଅମ୍ଲଜାନ ପ୍ଲାଣ୍ଟ, ଅଟୋ ପେସେଣ୍ଟ କଲିଂ ସିଷ୍ଟମ, ଜରୁରୀ କାଳୀନ ୱାର୍ଡ, ଇଣ୍ଟିଗ୍ରେଟେଡ ଲ୍ୟାବ, ମଲଟି ଜିମ , ଲାଇବ୍ରେରୀ, ବ୍ୟାଟେରୀ ଚାଳିତ ଯାନ, ଥଣ୍ଡା ଓ ଗରମ ପାନୀୟ ଜଳର ବ୍ୟବସ୍ଥା ସହ ଅନ୍ୟାନ୍ୟ ସୁବିଧା ରହିଥିବା ବେଳେ ଆମ ହସପିଟାଲ ଯୋଜନାରେ ପ୍ରାୟ ୬କୋଟି ଟଙ୍କା ବ୍ୟୟରେ ମୁଖ୍ୟ ତୋରଣ ରାସ୍ତା ଓ ଶିଶୁ ଏବଂ ହର୍ବାଲ ଉଦ୍ୟାନ ନିର୍ମାଣ କରାଯାଇଛି ।
ସେହିପରି ୧୪୩ କୋଟି ଟଙ୍କା ବ୍ୟତିତ ଅନ୍ୟାନ୍ୟ ସୂତ୍ରରୁ ଆଟେଣ୍ଡାଣ୍ଟ ବିଶ୍ରାମ ଗାର, ମିଶନ ଶକ୍ତି କାଫେ , ଔଷଧ ସଂଗ୍ରାହଳୟ,ଆଇଟି ସେଲ ଭଳି ବିଭନ୍ନ କୋଠା ନିର୍ମାଣ କରାଯାଇଛି । ଅନ୍ୟ ପକ୍ଷରେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାକୁ ସମସ୍ତ ସାମଗ୍ରୀ ସ୍ଥାନାନ୍ତର ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିଲେ ମଧ୍ୟ ଏ ଯାଏଁ ସ୍ଥାନାନ୍ତର କରାଯାଇପାରି ନାହିଁ। ଏହି କୋଠା ନିର୍ମାଣ ଓ ହସ୍ତାନ୍ତର ପରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା କାରଣରୁ ତତକାଳିନ ସରକାର ଲୋକାର୍ପଣ କରିପାରି ନଥିଲେ । ତେବେ ନିର୍ବାଚନ ଫଳାଫଳ ଘୋଷଣା ପରେ ସରକାର ପରିବର୍ତ୍ତନ ହେବା ଯୋଗୁ ଉକ୍ତ ନୂତନ କୋଠାର ରଙ୍ଗ ପରିବର୍ତ୍ତନ ହୋଇ ନପାରିବା କାରଣରୁ ଲୋକାର୍ପଣ ହୋଇପାରୁ ନଥିବା ବିଭାଗୀୟ ମହଲରେ ଆଲୋଚନା ହେଉଛି ।
ସବୁଠୁ ବଡ଼ କଥା ହେଉଛି ଗତ ପ୍ରାୟ ୧୦ ମାସରେ ପ୍ରାୟ ୪ କୋଟି ଟଙ୍କାର ବିଦ୍ୟୁତ ବିଲ ପୈଠ କରାଯାଉଛି ମାତ୍ର ଦେଢ ଶହ କୋଟି ଟଙ୍କାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ଲୋକଙ୍କ ସେବାରେ ଲାଗିପାରୁ ନାହିଁ । ତେବେ ନେତା ମନ୍ତ୍ରୀ ଓ ଅଧିକାରୀ ଙ୍କ ମଧ୍ୟରେ ପ୍ରଶଂସା ସାଉଁଟିବାର ପ୍ରତିଯୋଗୀତା ଭିତରେ ନୂତନ ଚିକିତ୍ସାଳୟ କୋଠା ନିର୍ମାଣର ୧୦ ମାସ ପରେ ମଧ୍ୟ ଜିଲ୍ଲାବାସୀ ଉନ୍ନତ ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ ରହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହି ସେବା ଲୋକମାନେ କେବେ ପାଉଛନ୍ତି ?