ଆଦିବାସୀ ଯୁବତୀଙ୍କୁ ବିଷ୍ଠା ଖୁଆଇବା ଘଟଣା: ଆନ୍ଦୋଳନ ପାଇଁ ଜିଲ୍ଲା ଆଦିବାସୀ ସଙ୍ଘ ପ୍ରସ୍ତୁତ

କଣ୍ଟାବାଞ୍ଜି: ଯୁଗ ବଦଳିଛି । ମଣିଷ ପୃଥିବୀରୁ ଚନ୍ଦ୍ର ପୃଷ୍ଠରେ ପାଦ ଥାପିଲାଣି । ହେଲେ ଆଜିବି ଏମିତି କିଛି ନିଚ୍ଚ ମନୋଭାବ ନେଇ ଏଇ ସମାଜରେ କିଛି ମଣିଷ ବସବାସ କରୁଛନ୍ତି । ଯାହାଙ୍କ ପାଖରେ ମଣିଷତ୍ୱର ମ ଅକ୍ଷର ବି ନାହିଁ । ଆମେ ଗତ କିଛି ଦିନ ତଳେ ଏକ ଖବର ପ୍ରସାରଣ କରିଥିଲୁ । ଯେଉଁଥିଲେ ଜଣେ ୨୦ ବର୍ଷର ଆଦିବାସୀ ଯୁବତୀଙ୍କ ସହ ଘଟିଥିଲା ଏକ ନିନ୍ଦନୀୟ ଘଟଣା । ତାଙ୍କୁ ଗାଳିଗୁଲଜ କରି ବିଷ୍ଠା ଆଣି ମୁହଁରେ ଘସିବା ସହ ଖୁଆଇ ଦେଇଥିବା ନେଇ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାରେ ହୋଇଥିଲା ଅଭିଯୋଗ ।

ଅଭିଯୁକ୍ତକୁ ଗିରଫ ଦାବିରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ବଙ୍ଗୋମୁଣ୍ଡା ଥାନା ଅଧିନସ୍ଥ ଜୁରାବନ୍ଧ ଗାଁ ର ଆଦିବାସୀ ଯୁବତୀଙ୍କୁ ଶାରୀରିକ ମାନସିକ ନିର୍ଯାତନା ଏବଂ ବିଷ୍ଠା ବୋଳି ଖୁଆଇ ଦେବା ଭଳି ଏଭଳି ନୃଶଂସ ଅମାନବୀୟ ଘଟଣାକୁ ଆଜି ୬ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲି । ଏହି ଘଟଣାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ରଖିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ । ସଙ୍ଘର କର୍ମକତା ମାନେ ସାରା ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ ଶୀଘ୍ର ଏହି ଘଟଣା ରେ ସଂପୃକ୍ତ ଯୁବକ କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ଏପଟେ ଯାହା ସୂଚନା ରହିଛି କି,  ପୀଡିତା ଯୁବତୀଙ୍କ ଘର ଲୋକ ଏଭଳି କାଣ୍ଡ ଘଟାଇଥିବା ଯୁବକର ଜମିରେ ଚଣା ଚାଷ କରିଛନ୍ତି । ତେବେ ଯୁବକ ଜଣଙ୍କ ତାଙ୍କ ଚାଷ ଜମି ଦେଇ ନିଜ ଜମିରେ ଟ୍ରାକ୍ଟର ମଡେଇବାକୁ ଯାଇଥିଲା । ତେଣୁ ଯୁବତୀ ଜଣକ ତାଙ୍କୁ ବାରଣ କରିଥିଲେ । ବାସ୍ କଥା ଥିଲା ଏତିକି । କିନ୍ତୁ ଏହାକୁ ନେଇ ଘଟଣା ଘଟିଗଲା ବହୁତ ବଡ । ଆଦିବାସୀ ଯୁବତୀ ଜଣଙ୍କୁ ଗତ ୧୬ ତାରିଖ ଦିନ ଗାଁର ଅଭୟ ବାଗ କେଉଁଠି ଥିଲେ କେଜାଣି ଯୁବତୀଙ୍କ ପାଖକୁ ଦଉଡି ଆସି ତାଙ୍କ ସହ ଅସଦାଚରଣ କରିବାକୁ ଲାଗିଲା ।

ଯୁବତୀ ଜଣକ ଚିତ୍କାର କରିବାରୁ ପାଖରେ ଥିବା ଯୁବତୀଙ୍କ ବଡ଼ ମାଆ ଦଉଡି ଆସି ଯୁବକଙ୍କୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ଯୁବକ ଜଣଙ୍କ ତାଙ୍କୁ ବି ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା । ଏତିକିରେ ଯୁବକ ଅଭୟ ବାଗର ମନ ଶାନ୍ତି ହେଲାନି ଯେ ହାତରେ ବିଷ୍ଠା ଆଣି ଯୁବତୀଙ୍କ ମୁହଁରେ ଘସି ଜୋର ଜବରଦସ୍ତ ଖୁଆଇଦେଲା ବୋଲି ପୀଡିତା ଥାନାରେ ଅଭିଯୋଗ କରିଥିଲେ । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଏବେ ବି ଚୁପ୍ ରହିଛି ପୋଲିସ୍ ପ୍ରଶାସନ । ଯାହାକୁ ନେଇ ଏବେ ତୀବ୍ର ହେବାରେ ଲାଗିଛି ମାହୋଲ । ତେବେ ଦେଖିବାକୁ ବାକି ରହିଲା ଏହି ଘଟଣାକୁ କେବେ ଗୁରୁତ୍ୱର ସହ ନେଇ ଅଭିଯୁକ୍ତଙ୍କୁ ଗିରଫ କରୁଛି ନା ଏମିତି ଚୁପ୍ ରହୁଛି ପୋଲିସ୍ ।

 

You might also like