ଦୀପାବଳିରେ ଅଘଟଣ, ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଫୁଟାଇବାବେଳେ ଅନେକ ଆହତ

ଭୁବନେଶ୍ବର(କେନ୍ଯୁଜ୍) :  ଦୀପାବଳିରେ ଅଘଟଣ । ବାଣ ଫୁଟାଇବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି ।ରାଜଧାନୀ ଭୁବନେଶ୍ୱରରେ ବି ଦୀପାବଳିରେ ଅଘଟଣ । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବାଣ ଫୁଟାଇ ୪ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କାହାର ହାତ ପୋଡ଼ି ଯାଇଥିବା ବେଳେ ଆଉ କାହାର ମୁହଁ ବି ଜଳି ଯାଇଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଡିସଚାର୍ଜ କରାଯାଇଥିଲା ।

ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ଦୀପାବଳିରେ ଅଘଟଣ

1କେଉଁଠି ନିଆଁ ଲାଗିଯାଇଛି ତ ଆଉ କିଏ ଆହତ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ବାଣ ଫୁଟାଇ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଜାମୁନା ଗାଁର ତିନି ଜଣ, ଅଁଳାପାଳର ଜଣେ ଏବଂ ରାଜବରହମ୍‌ପୁର ଗାଁର ଜଣେ ଆହତ ହୋଇଛନ୍ତି । ଜାମୁନା ଗାଁର ଆହତ ହୋଇଥିବା ତିନି ଜଣଙ୍କ ହାତ ଓ ମୁହଁ ପୋଡ଼ି ହୋଇଯାଇଛି । ଅଁଳାପାଳରେ ଆହତ ହୋଇଥିବା ନାବାଳକର ତିନିଟି ଆଙ୍ଗୁଠି ନଷ୍ଟ ହୋଇ ଯାଇଛି । ସମସ୍ତଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଣ ଫୁଟାଇବାବେଳେ  ବାଲେଶ୍ୱର ଜିଲ୍ଲାରେ ୭ଜଣ ଆହତ

baleswarସେହିପରି ବାଣ ଫୁଟାଇବାବେଳେ ଅସାବଧାନତା କାରଣରୁ ବାଲେଶ୍ୱର ଜିଲ୍ଲାରେ ମଧ୍ଯ ୭ଜଣ ଆହତ ହୋଇଛନ୍ତି। କାହାର ହାତ ପୋଡିଯାଇଛି ତ ଆଉ କାହାର ମୁହଁ ଜଳି ଯାଇଛି। ଆହତ ମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।

ରାଉରକେଲାରେ ଜଳିଗଲା ଦୋକାନ ଘର

raulkelaଦୀପାବଳିରେ ବାଣ ଫୁଟା ବେଳେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ବି ହୋଇଛି । ସେହିପରି ରାଉରକେଲାରେ ଜଳିଗଲା ଦୋକାନ ଘର । ବାଣଫୁଟି ରାଉରକେଲା ଡେଲି ମାର୍କେଟ୍‌ରେ ଅଗ୍ନିକାଣ୍ଡ ଘଟିଛି । ବାଣ ନିଆଁରେ ଗୋଟିଏ ଦୋକାନ ଘର ସଂପୂର୍ଣ୍ଣ ଜଳି ଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି ।

ଯାଜପୁର ତାରାମଦନ ଖାନ୍‌ ସାହିରେ ବାଣ ନିଆଁରେ ପୋଡି ଯାଇଛି ଘର

jajpurସେହିପରି ଯାଜପୁର ଥାନା ଅନ୍ତର୍ଗତ ତାରାମଦନ ଖାନ୍‌ ସାହିରେ ବାଣ ନିଆଁରେ ପୋଡି ଯାଇଛି ଘର । ଜଣଙ୍କ ଚାଳ ଉପରେ ବାଣ ଖସି ପଡ଼ିବାରୁ ନିଆଁ ଲାଗି ଯାଇଥିଲା । ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ରାୟଗଡ଼ାରେ ବି ବାଣ ନିଆଁ ଜାଳି ଦେଲା ଦୋକାନ ଘର

raygadaସେପଟେ ରାୟଗଡ଼ାରେ ବି ବାଣ ନିଆଁ ଜାଳି ଦେଲା ଦୋକାନ ଘର । ରାୟଗଡ଼ା ସହର ଓଭର ବ୍ରିଜ୍‌ ନିକଟରେ ଗୋଟିଏ ଜୋତା ଦୋକାନ ଏବଂ ଗୋଟିଏ ଘଣ୍ଟା ଦୋକାନ ଜଳି ଯାଇଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏଥିରେ କେହି ଆହତ ହୋଇ ନାହାନ୍ତି ।

ଢେଙ୍କାନାଳ ଭୁବନରେ ନିଆଁର ଆଁରେ ୧୫ରୁ ଉର୍ଦ୍ଧ୍ୱ ବଖରା ଘର

bhubanସେହିପରି ନିଆଁର ଆଁରେ ୧୫ରୁ ଉର୍ଦ୍ଧ୍ୱ ବଖରା ଘର। ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତ କେନ୍ଦୁଢିପି ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ପ୍ରଥମେ ଗାଁର ବିପିନ ପରିଡ଼ାଙ୍କ ଘରେ ନିଆଁ ଲାଗିଥିଲା। ଏହାପରେ ଆଖପାଖ ଘରକୁ ବ୍ୟାପିଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଲୋକମାନେ କେବଳ ପିନ୍ଧା ଲୁଗାକୁ ଛାଡିଦେଲେ ଆଉ କିଛି ବି ଉଦ୍ଧାର କରିପାରିନଥିଲେ।

ପାରାଦୀପ ଭଂଜ କଲୋନୀରେ ଅଗ୍ନିକାଣ୍ଡ

Diwali-Pollutionପାରାଦୀପ ଭଂଜ କଲୋନୀରେ ଅଗ୍ନିକାଣ୍ଡ । ଜଳି ଯାଇଛି ତିନି ବଖରା ଘର । ଭଂଜକଲୋନୀ ୪ ନମ୍ବର ଲେନ୍‌ର ପଂଚାନନ ପଲେଇଙ୍କ ଘର ଉପରେ ଛତା ବାଣ ଖସି ପଡ଼ିବାରୁ ଅଘଟଣ ଘଟିଛି । ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇ ଯାଇଛି । ତେବେ ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକ ନିଆଁ ଲିଭାଇ ଦେଇଥିଲେ ।

କୁଳନ୍ତିରା ଗାଁରେ ଅଘଟଣ

niaସେହିପରି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା କୁଳନ୍ତିରା ଗାଁରେ ମଧ୍ଯ ଅଘଟଣ ଘଟିଯାଇଛି । ଗତକାଲି ବିଳମ୍ବିତ ରାତିରେ ବାଣ ପଡି ଗାଁର ଅଶୋକ କୁମାର ସାହୁଙ୍କ ଜଳଖିଆ ଦୋକାନ ପୋଡି ପାଉଁଶ ହୋଇଯାଇଛି । ବାଲିପାଟଣା ଦମକଳ ଅଧିକାରୀ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚିଲା ବେଳକୁ ଜଳଖିଆ ଦୋକାନଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା ।