ଦୀପାବଳିରେ ଆଖଣ୍ଡଳମଣି ମନ୍ଦିରରେ ଉଠିଛି ପବିତ୍ର ମହାଦୀପ, ଶହ ଶହ ବର୍ଷର ପୁରୁଣା ପରମ୍ପରାକୁ ଦେଖିବା ପାଇଁ ଆସିଛିନ୍ତି ଅନେକ ଶ୍ରଦ୍ଧାଳୁ
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳି ଉତ୍ସବ ପାଳନ କରାଯାଇଥାଏ। ଦୀପାବଳିକୁ ଦୀପ ଓ ଆଲୋକର ପର୍ବ କୁହାଯାଏ। ଏହି ଦିନ ଧନ, ସମୃଦ୍ଧି ପ୍ରାପ୍ତି ପାଇଁ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ପୂଜା କରାଯାଏ। ଆଲୋକର ପର୍ବ ଦୀପାବଳି ପାଳନ କରିବା ପାଇଁ ସମେସ୍ତ ଚାହିଁଥାନ୍ତି । ଏନେଇ ସାରା ଦେଶରେ ପାଳିତ ହୋଇଛି ଦୀପାବଳି ପର୍ବ। ଉତ୍ସବ ମୁଖର ହୋଇ ଉଠିଛି ସାରା ପରିବେଶ। ତେବେ ଏହାରି ମଧ୍ୟରେ ଭଦ୍ରକର ପ୍ରସିଦ୍ଧ ଶୈବପୀଠରେ ଦୀପାବଳି ପର୍ବକୁ ଖୁବ ଧୂମଧାମରେ ପାଳନ କରାଯାଇଛି।
ଆଲୋକର ପର୍ବ ଦୀପାବଳି ଓ କଳୀପୂଜା ଅବସରରେ ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଶୈବ ପୀଠ ଆରଡ଼ିର ଆଖଣ୍ଡଳମଣି ପୀଠରେ ଉଠିଛି ମହାଦୀପ। ଏହି ମହାଦିପ ଉଠିବା ପରମ୍ପରା ଶହ ଶହ ବର୍ଷର ବୋଲି କୁହନ୍ତି ପୁରୁଖା ସେବାୟତମାନେ। ତେବେ ରାତି ୯ ଟାରେ ମନ୍ଦିର ଚୁଡାରେ ମହାଦୀପ ସ୍ଥାପନ କରାଯାଇଥିଲା। କାଳୀପୂଜା ପାଇଁ ଆଖଣ୍ଡଳମଣିଙ୍କ ପାଖରେ ସ୍ୱତନ୍ତ୍ର ପୂଜା କରାଯାଇଥିଲା।
ସକାଳେ ମନ୍ଦିର ପହୁଡ଼ ଖୋଲା ଯିବା ପରେ ପ୍ରଥମେ ମଙ୍ଗଳ ଆରତୀ କରାଯାଇଥିଲା ପରେ ରୀତିନୀତି ଅନୁସାରେ ଚାଲିଥିଲା ନୀତିକାନ୍ତି। ସଂନ୍ଧ୍ୟା ସମୟରେ ଆରମ୍ଭ ହୋଇଥିଲା ମହାଦିପ ପ୍ରସ୍ତୁତି। ସଂନ୍ଧ୍ୟା ପୂଜା ପରେ ମହାଦିପ ପୂଜା ସହ ସନ୍ଧି ପୂଜା ଓ ଷୋଡଶ ଉପଚାର ପୂଜା କରାଯାଇଥିଲା। ପୂଜା ପରେ ପାଳିଆ ସେବକ ମହାଦିପକୁ ମୁଣ୍ଡରେ ମୁଣ୍ଡାଇ ମନ୍ଦିର ବେଢା ବୁଲିବା ପରେ ଭକ୍ତଙ୍କ ହରିବୋଲ, ହୁଳହୁଳି, ଘଣ୍ଟ, କୀର୍ତନ ରେ ମନ୍ଦିର ଚୁଡାରେ ମହାଦିପ ସ୍ଥାପନ କରାଯାଇଥିଲା।
ଶହ ଶହ ଭକ୍ତ ମହାଦିପ ଦର୍ଶନ କରିଥିଲେ। ଆରଡ଼ି ଆଖଣ୍ଡଳମଣି ପୀଠରେ ବର୍ଷର ଦୁଇ ଥର ମହାଦିପ ଉଠିଥାଏ। କାଳୀପୂଜା ପାଇଁ ଦିନ ତମାମ ପୀଠ ଚାଲଚଞ୍ଚଳ ହୋଇଉଠିଥିଲା।