ସାଇବର ଠକାମୀର ଶିକାର ହେଲେ ଡାକ୍ତର, ହରାଇଲେ ୭୫ ହଜାର ଟଙ୍କା
ରୋଗୀ ଦେଖୁ ଦେଖୁ ସାଇବର ଠକାମୀର ଶିକାର ହେଲେ ଡାକ୍ତର । ଏପଟେ ରୋଗୀ ଦେଖିବାରେ ବ୍ୟସ୍ତ ଥିଲେ ଡାକ୍ତର । ହଠାତ ସାଇବର ଠକର ଡାକ୍ତରଙ୍କ ପାଖକୁ ଫୋନ ଆସିଲା । ପ୍ରଥମେ ଆତ୍ମୀୟତା ଦେଖାଇ ଡାକ୍ତରଙ୍କ ସହ କଥା ହେଲା । ପରେ ଜାଲରେ ଫସାଇ ଦେଲା ସାଇବର ଠକ । ସାଇବର ଠକଟି ଡାକ୍ତରଙ୍କୁ ଟଙ୍କା ପଠାଇଥିବା କହିଥିଲା । ଆଉ ସେହି ଟଙ୍କାକୁ ତାର ସମ୍ପର୍କୀୟଙ୍କୁ ଦେବା ପାଇଁ ଡାକ୍ତରଙ୍କୁ କହିଥିଲା ଠକ । ଡାକ୍ତର ବି କାମରେ ଏତେ ବ୍ୟସ୍ତ ଥିଲେ ଯେ ଆକାଉଣ୍ଟ ଚେକ୍ ନକରି ୭୫ ହଜାର ଟଙ୍କାକୁ ଠକକୁ ଦେଇଦେଲେ ।
ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ମାଧବ ସେଠୀଙ୍କ ସହ ହୋଇଛି ଏଭଳି ଘଟଣା । ଗତ ୧୦ ତାରିଖ ଦିନ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଦେଖୁଥିବା ସମୟରେ ହଠାତ୍ ଡାକ୍ତର ମାଧବ ସେଠୀଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ସାଇବର ଠକ ଡାକ୍ତରଙ୍କୁ ଠକିବା ପାଇଁ କରିଥିଲା ଟାର୍ଗେଟ । ପ୍ରଥମେ ଠକ ଜଣଙ୍କ ଡାକ୍ତରଙ୍କ ଆକାଉଣ୍ଟକୁ ୭୫ ହଜାର ଟଙ୍କା ଦେଇଥିବା କହିଥିଲା । ମେଡିକାଲ କେସରେ ନିହାତି ଟଙ୍କା ଆବଶ୍ୟକ । ମୁଁ ଦେଇଥିବା ନମ୍ବରରେ ୭୫ ହଜାର ଟଙ୍କା ପଠାଇ ଦିଅନ୍ତୁ ଆଜ୍ଞା । ଏଭଳି କହି ସାଇବର ଲୁଟେରା ଡାକ୍ତର ସେଠୀଙ୍କ ହ୍ବାଟସପକୁ ୭୫ ହଜାର ଟଙ୍କା ଗୁଗଲପେରେ ଦେଇଥିବା ଏକ ସ୍କ୍ରିନସଟ ପଠାଇଲା । କାର୍ଯରତ ଡାକ୍ତର ସେଠୀ ନିଜ ଆକାଉଣ୍ଟ ଚେକ କଲେନି । ମେଡିକାଲ କେସରେ ଜରୁରୀ ବୋଲି ଭାବି କେବଳ ସ୍କ୍ରିନ୍ ସଟ୍ ଦେଖି ଠକ ଦେଇଥିବା ନମ୍ବରକୁ ୭୫ ହଜାର ଟଙ୍କା ପଠେଇ ଦେଲେ ଡାକ୍ତର । ସମସ୍ତ ରୋଗୀଙ୍କୁ ଦେଖି ସାରିବା ପରେ ଡାକ୍ତର ନିଜ ଆକାଉଣ୍ଟ ଚେକ କରିଥିଲେ । ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ଆସିନାହିଁ ଓ ସେ ସାଇବର ଲୁଟର ଶିକାର ହୋଇସାରିଛନ୍ତି । ସଙ୍ଗେ ସଙ୍ଗେ ଡାକ୍ତର ଧାମନଗର ଥାନାରେ ଲିଖିତ ଅଭିଯୋଗ ସହ ସାଇବର ପୋଲିସରେ ଅନଲାଇନ୍ ମଧ୍ୟମରେ ଅଭିଯୋଗ କରିଛନ୍ତି ।
ଡାକ୍ତର ବି ନିଜେ ଏମିତି ଠକାମୀର ଶିକାର ହେବେ ଭାବି ନଥିଲେ । ଅଜଣା ଲୋକଙ୍କ ଉପରେ ଭରଷା କରି ଏବେ ଏତେ ଟଙ୍କା ହରାଇଛନ୍ତି ଡାକ୍ତର । ଏ ଡାକ୍ତରଙ୍କ ଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଅନେକ ସମୟରେ ଠକାମୀର ଶିକାର ହେଉଛନ୍ତି । କିନ୍ତୁ ଆପଣ ଯେମିତି ଏଭଳି ଠକାମୀର ଶିକାର ନହୁଅନ୍ତି । ବୁଝି ବିଚାରି କାମ କରନ୍ତୁ । ଅଜଣା ଲୋକଙ୍କୁ ଟଙ୍କା ଦେବା ପୂର୍ବରୁ ୧୦୦ ଥର ଚିନ୍ତା କରନ୍ତୁ । ନଚେତ ଆପଣଙ୍କ ସହ ବି ଏମିତି ଘଟିବାକୁ ବେଶୀ ସମୟ ଲାଗିବନି ।