ରୋଗୀଙ୍କ ମୋବାଇଲ୍ ଲାଇଟ୍ରେ ପ୍ରେସକିପସନ ଲେଖୁଛନ୍ତି ଡାକ୍ତର

ଗଜପତି : ରୋଗୀ ଟର୍ଚ୍ଚ ଦେଖାଉଛନ୍ତି ଆଉ ଡାକ୍ତର ପ୍ରେସକ୍ରିପସନ୍ ଲେଖୁଛନ୍ତି । ଏ ଚିତ୍ର ଦେଖି ଆପଣ ହଠାତ୍ କିଛି ବୁଝିପାରୁନଥିବେ । ଯେ ଏଇଟା କେଉଁ ଯାଗା, କେଉଁଠି ଏଭଳି ଟର୍ଚ୍ଚ ଲାଇଟରେ ରୋଗୀ ଦେଖୁଛନ୍ତି ଡାକ୍ତର । ଆଉ କେତେ ଲୋକ ରୁଣ୍ଡ ହୋଇଛନ୍ତି ଏଠି ଦେଖନ୍ତୁ । ଏମାନଙ୍କୁ ଡାକ୍ତର ଏ ସ୍ଥିତିରେ ଭଲରେ ଦେଖୁଛନ୍ତି ନା ଖାଲି ପ୍ରେସକ୍ରିପସନ୍ ଲେଖିଦେଉଛନ୍ତି । କେତେବେଳେ ଯେ କାହା ପାଳି ପଡିବ ଏ ଅନ୍ଧାରରେ ଜଣାପଡୁନି । ରୋଗୀ ପାଇଁ ଏ ଅବ୍ୟବସ୍ଥା ପୁଣି ଡାକ୍ତରଖାନାରେ । କିଛି ବୁଝାପଡୁନି । କାହିଁକି ଏମିତି, କାହିଁକି ରୋଗୀଙ୍କ ସହ ଏମିତି ଅବ୍ୟବସ୍ଥା । ୟାକୁ ଦେଖିଲେ କେହି କହିବେନି ଏଇଟା ଡାକ୍ତରଖାନା ବୋଲି । ଆଉ ଏ ଚିତ୍ର ଦେଖିଲେ ତ ଆଦୌ ଲାଗୁନି ଯେ ଏଠି ଠିକ୍ ଭାବେ ରୋଗୀ ଦେଖା ଦେଉଥିବ ବୋଲି ।
ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଆଜି ସନ୍ଧ୍ୟା ସମୟରେ ପ୍ରାୟ ଦୁଇ ଘଣ୍ଟା ଧରି ବିଦ୍ୟୁତ ନଥିଲା । ଫଳରେ ଡାକ୍ତର ଓ ଷ୍ଟାଫ୍ ମାନେ ମୋବାଇଲ୍ ଫୋନ୍ ଆଲୁଅରେ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଥିଲା । ଆପଣ ତ ଜାଣିଛନ୍ତି ସ୍ବାସ୍ଥ୍ୟସେବା ଏକ ଜରୁରୀ କାଳୀନ ସେବା । ଏଥିପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ଭିତ୍ତିଭୂମିକୁ ସୁଦୃଢ କରିଚାଲିଛନ୍ତି । କିନ୍ତୁ ସ୍ଥାନୀୟ ସ୍ଥରରେ ଦାୟିତ୍ବରେ ରହୁଥିବା କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ରୋଗୀମାନେ ଏଭଳି ବହୁ ଅସୁବିଧାର ସମ୍ମୁଖୀନ ହୋଇ ହନ୍ତସନ୍ତ ହେଉଛନ୍ତି । ଯାହାର ସ୍ପଷ୍ଟ ଉଦାହରଣ ଆଜି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ପ୍ରାୟ ଦୁଇ ଘଣ୍ଟା ଧରି ବିଦ୍ୟୁତ ନଥିଲା । ଯାହା ଫଳରେ କି ଡାକ୍ତରମାନେ ମୋବାଇଲ ଟର୍ଚ୍ଚ ଲାଇଟରେ ରୋଗୀଙ୍କୁ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଥିଲା ।
ଏ ବିଷୟରେ ମୋବାଇଲ ଟର୍ଚ୍ଚ ଲାଇଟ୍ ଚିକିତ୍ସା କରୁଥିବା ଡାକ୍ତର ଦିପକ କୁମାର ନାୟକଙ୍କୁ ପଚାରିବାରୁ ମୋ ପାଖରେ ଲମ୍ବାଲାଇନ୍ ଲାଗିଛି ତାହା ଶେଷ ହେଲେ କିଛି କହିବି ବୋଲି କହିଥିଲେ । ସେପଟ ପାରଳାଖେମୁଣ୍ଡି ଡିଏଚ୍ଏଚ୍ ଡିଏମଓଙ୍କୁ ପଚାରୀବାରୁ ମୋବାଇଲରେ ଚିକିତ୍ସା ପ୍ରଶ୍ନର ସଠିକ ଉତ୍ତର ନଦେଇ ବରଂ ସେ ମୋବାଇଲ ଲାଇଟରେ ଚିକିତ୍ସା କଥା ଦେଖିନଥିବା କହିଛନ୍ତି । କିନ୍ତୁ କେଜୁଆଲିଟିରୁ ଆରମ୍ଭ କରି ସମସ୍ତ ପରୀକ୍ଷାଗାର, ଆଉଟ୍ ଡୋର ସମେତ ସମ୍ପୂର୍ଣ୍ଣ ଜିଲ୍ଲାମୂଖ୍ୟ ଚିକିତ୍ସା କେନ୍ଦ୍ର ଅନ୍ଧାରରେ ରହିଥିଲା ଆଉ ତାଲା ମଧ୍ୟ ପଡିଥିଲା ।
ତେବେ କେଉଁ କାରଣରୁ ଏଭଳି ପରିସ୍ଥିତି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସୃଷ୍ଟି ହେଲା ତାହା ରହସ୍ୟ ଘେରରେ ରହିଛି । ଏହାର ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଏପରି ବ୍ୟବସ୍ଥା ରହିଛି ତେବେ ଦୁର୍ଗମ ଅଞ୍ଚଳରେ ରହିଥିବା ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥା କିପରି ଥିବ ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ।