ରୋଗୀ ଦେଖିବାକୁ ଡାକ୍ତର ନେଉଛନ୍ତି ଟଙ୍କା, ଫି ନଦେଲେ ଲେଖୁନାହାନ୍ତି ଔଷଧ

ସୋର : ରୋଗୀ ଦେଖିବାକୁ ଡାକ୍ତର ନେଉଛନ୍ତି ଟଙ୍କା । ଫି ନହେଲେ ଲେଖୁନାହାନ୍ତି ଔଷଧ । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସେବା ପାଇଁ ଟଙ୍କା କାରବାର ଅଭିଯୋଗ ହୋଇଛି । ଏଭଳି ଏକ ଭିଡିିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଟଙ୍କା ନ ଦେଲେ ଔଷଧ ଲେଖୁ ନାହାନ୍ତି କାର୍ଯ୍ୟରତ ଡାକ୍ତର । ଡ୍ୟୁଟି ସମୟରେ ରୋଗୀଙ୍କ ନିକଟରୁ ଟଙ୍କା ନେବା ଘଟଣାର ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଗୋପାଳପୁର ମେଡ଼ିକାଲ ଉପରେ ବାହାନଗା ବ୍ଲକ ସମେତ ରେମୁଣା ବ୍ଲକର ହଜାର ହଜାର ଲୋକେ ନିର୍ଭର କରିଥାନ୍ତି । ସରକାର ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଯାହାଫଳରେ ଗରିବ ରୋଗୀ ସରକାରୀ ଡାକ୍ତରଖାନାରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ପାଇବେ । ହେଲେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଏବେ ଚର୍ଚ୍ଚା ପାଲଟିଛି । ଏଥିରେ ଡାକ୍ତରଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏହି ଭାଇରାଲ ଭିଡିଓର ସତ୍ୟତା ସମ୍ପର୍କରେ ତଦନ୍ତ ହେବା ଜରୁରୀ ।