ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ଜଣେ ‘ଦମନ’ ଡାକ୍ତରଙ୍କ ମହାନତା

ମାଲକାନଗିରି : ରୋଗୀ ଆସିପାରିଲେନି ଡାକ୍ତରଖାନା । ତେଣୁ ଡାକ୍ତର ଗଲେ ରୋଗୀ ଘର ପାଖକୁ ତାଙ୍କୁ ଦେଖିବା ପାଇଁ । ଘରେ ପଡି ପଡି ରୋଗୀ ଛଟପଟ ହେଉଥିଲେ, ଯାହାକୁ ଶୁଣି ସହି ପାରିଲେନି ଡାକ୍ତର । ରୋଗୀ ଆଉ ଡାକ୍ତରଙ୍କ ମଝିରେ ପ୍ରତିବନ୍ଧକ ସାଜିଥିଲା ଭରା ନଈ । ରୋଗ ଦେଖାଇବାକୁ ଡାକ୍ତରଖାନା ଆସିବାକୁ ହେଲେ ଉଛୁଳା ନଦୀକୁ ପାର କରିବାକୁ ପଡିବ । ସେଥିପାଇଁ ଚାହିଁଲେ ବି ଡାକ୍ତରଖାନା ଯାଇ ପାରୁନଥିଲେ ରୋଗୀ । ତେଣୁ ଡାକ୍ତର ପହଁଚିଗଲେ ରୋଗୀ ପାଖରେ ।

ଯେଉଁଠି ରାସ୍ତା ଘାଟ ନାହିଁ କି ନଦୀ ଉପରେ ପୋଲ ନାହିଁ । ଆପଣ ଭାବୁଥିବେ ଡାକ୍ତର ତାହେଲେ କେମିତି ଗଲେ । ଆଜ୍ଞା ଡାକ୍ତର ଭରା ନଈକୁ ନିଜେ ପାର କରି ପହଁଚିଛନ୍ତି ରୋଗୀ ପାଖରେ । ରୋଗୀଙ୍କ ପାଇଁ ଡାକ୍ତର ଦେଖାଇଛନ୍ତି ଏଭଳି ମହାନତା । ଭରା ନଈ ଭିତରେ ପହଁରି, ନିଜ ଜୀବନକୁ ବିପଦରେ ପକାଇ ପାର ହୋଇଥିଲେ । ଆଉ ପାହାଡ଼ିଆ ନଦୀର ପ୍ରଖର ସ୍ରୋତକୁ ଅତିକ୍ରମ କରି ରୋଗୀ ସେବା କଲେ ଦୁର୍ଗମ ଅଞ୍ଚଳରେ । ଡାକ୍ତର ଅନନ୍ତ କୁମାର ଡାର୍ଲି ଏବଂ ତାଙ୍କ ସହଯୋଗୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁଜିତ କୁମାର ପୂଜାରୀ । ଏମାନଙ୍କର ଯେତେ ପ୍ରଶଂସା କଲେ ବି କମ୍‌ ହେବ ।

କହି ରଖିବାକୁ ଚାହିଁବୁ ଯେ ଗତ କିଛିଦିନ ହେବ ମାଲକାନଗିରି ଜିଲ୍ଲା ମାଥିଲି ଅଂଚଳରେ ଡାଇରିଆ ବ୍ୟାବ୍ୟାପିବାରେ ଲାଗିଛଇ । କର୍ତ୍ତନପାଲ୍ଲୀ ପଂଚାୟତ ଅନ୍ତର୍ଗତ ବାରା ଗାଁରେ ସର୍ବାଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ପାଣି ଦୁଇ କୂଳ ଖାଉଥାଏ । ସ୍ରୋତ ପ୍ରଖର ଥିବା ଯୋଗୁଁ କିଛି ରୋଗୀ ମେଡିକାଲ ଆସି ପାରୁନଥିଲେ । ତେଣୁ ରୋଗୀ ସେବାକୁ ନିଜ କର୍ତ୍ତବ୍ୟ ମନେ କରି ଭରା ନଈ ପାର ହୋଇ ପହଞ୍ଚିଥିଲେ ରୋଗୀ ଘରେ । ଡାକ୍ତର ଅନନ୍ତ ଡାର୍ଲି ଓ ତାଙ୍କ ସହଯୋଗୀଙ୍କୁ ଆପଣମାନେ ଦେଖି ପାରୁଥିବେ କେମିତି ସମସ୍ତ ମେଡିସିନ୍ ସାମଗ୍ରୀ ନେଇ ପହଁଚିଛନ୍ତି । ଆଉ ସମସ୍ତଙ୍କ ଘରକୁ ଘର ବୁଲି ସେବା ଯୋଗାଇଛନ୍ତି । ଏ ଚିତ୍ର ଦେଖିଲେ ଲାଗୁଛି ହଁ ପ୍ରକୃତରେ, ଡାକ୍ତର ହେଉଛନ୍ତି ଭଗବାନ ।

କହିରଖିବାକୁ ଚାହିଁବୁ ଯେ ଏହି ଦୁଇ ଜଣ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କିଆଙ୍ଗ ଡାକ୍ତର ଖାନାରେ କାର୍ଯ୍ୟରତ । ସେମାନଙ୍କ ଏଭଳି ଦୁଃସାହସିକ କାର୍ଯ୍ୟ ‘ଦମନ’ ଫିଲ୍ମର କାହାଣୀ ଭଳି ଲାଗୁଛି । ଦୁର୍ଗମ ଅଞ୍ଚଳରେ ସାଧାରଣ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଯେ କେତେ କଠିନ ତାହା ଏ ଦୃଶ୍ୟ ଦେଖିଲେ ଜଣା ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like