ଶ୍ରୀମନ୍ଦିରରେ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି, ଆଜିଠୁ ସପ୍ତାହେ ଧରି ପାଳନ ହେବ ଦୋଳ ଉତ୍ସବ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି । ଆଜିଠୁ ଏକ ସପ୍ତାହ ଧରି ପାଳନ ହେବ ଦୋଳ ଉତ୍ସବ । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ପ୍ରମୁଖ ଯାତ୍ରା ଅଟେ । ଫଗୁ ଦଶମୀରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ । ସେଠାରେ ଅବିର ଓ ଫଗୁ ଲାଗି କରାଯିବ । ବିଶ୍ୱାସ ରହିଛି, ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ।
ଆଜି ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ଅନୁଷ୍ଠିତ ହେବ । ଆସନ୍ତା ଚତୁର୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହ ବିଭିନ୍ନ ଅଳଙ୍କାରରେ ସଜିତ ହେବେ । ପ୍ରତିଦିନ ମଧ୍ୟାହ୍ନଧୂପ ସରିବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜିତ କରାଯିବ। ଆଜି ମଧ୍ୟ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ ।
ଆହୁରି ପଢ଼ନ୍ତୁ : ସରିଲା ଅନୁଭବ- ଜାଗୃତିଙ୍କ ନିର୍ବନ୍ଧ; ଆସନ୍ତା ୧୧ରେ ପଡିବ ହାତଗଣ୍ଠି !