ଆଜିଠୁ ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ: ଉଦ୍‌ଘାଟନୀ ଉତ୍ସବରେ ଜଲୱା ଦେଖାଇବେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟ୍ଟାନୀ

ଭୁବନେଶ୍ୱର (କେନ୍ୟୁଜ): ବ୍ରହ୍ମପୁରରେ ସିଲ୍‌କ ଫେଷ୍ଟ ଓ ରାଉରକେଲାରେ ଷ୍ଟିଲ୍‌ ଫେଷ୍ଟ ପରେ ଆଜିଠୁ ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ । ପ୍ରଦର୍ଶନୀ ପଡ଼ିଆରେ ଜମିବ ବଲିଉଡ୍‌, ଓଲିଉଡ୍‌ ସେଲିବ୍ରିଟିଙ୍କ ନାଚ ଗୀତର ଆସର । ଆଜି ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ବଲିଉଡ୍‌ ଅଭିନେତ୍ରୀ ଦିଶା । ତାଙ୍କର ଡ୍ୟାନ୍ସ ଜଲୱାରେ ଝୁମିବେ ରାଜଧାନବାସୀ । ବାରବାଟୀରେ ହକି ବିଶ୍ୱକପ୍‌ ଉଦଘାଟନୀ ଉତ୍ସବରେ ଓଡ଼ିଶାବାସୀଙ୍କୁ ଝୁମାଇଥିଲେ ଦିଶା । ତାଙ୍କର ଡ୍ୟାନ୍ସ ଜଲଓ୍ଵା ଡଟ୍‌ ଫେଷ୍ଟରେ ବି ଦେଖିବାକୁ ମିଳିବ ।

ସେହିପରି ଆଜି ଗୁରୁ ରନ୍ଧୱା ନିଜର ଯାଦୁଭରା କଣ୍ଠରେ ଦର୍ଶକଙ୍କୁ ମତୁଆଲା କରିବେ । ଏମାନଙ୍କ ସହ ଅନ୍ତର୍ଜାତୀୟ ଡ୍ୟାନ୍‌ସ ଗ୍ରୁପ୍‌ ବ୍ଲାକ୍‌ ସ୍ୱାନ୍‌ ମଧ୍ୟ ପ୍ରଥମ ସନ୍ଧ୍ୟାରେ ଧୁମ୍‌ ମଚାଇବେ । ପ୍ରତିଦିନ ବଲିଉଡ୍‌ ସେଲିବ୍ରିଟିଙ୍କ ଡ୍ୟାନ୍ସ ଓ ସଙ୍ଗୀତ ଡଟ୍‌ ଫେଷ୍ଟକୁ ଝୁମାଇବ । ଉଦିତ ନାରାୟଣ, ସୁଖବିନ୍ଦର ସିଂ, ଅଲକା ୟାଗ୍ନିକ, ନୀତି ମୋହନ, ହର୍ଷଦୀପ କୌର ବି ଆସିବେ ଡଟ୍‌ ଫେଷ୍ଟ । ପ୍ରତିଦିନ ସନ୍ଧ୍ୟାରେ ନାଚ ଗୀତ ସାଙ୍ଗକୁ ଜମିବ ଖାଦ୍ୟପେୟର ଆସର । ୧୬ରୁ ଅଧିକ ଦେଶର ଷ୍ଟ୍ରିଟ୍‌ ଫୁଡ୍‌ର ମଜା ନେଇପାରିବେ । ଏକାଥରକେ ୭ହଜାର ୬୦୦ ଦର୍ଶକ ବସି କାର୍ଯ୍ୟକ୍ରମ ଦେଖିପାରିବେ। ଏହାସାଙ୍ଗକୁ ଏକାମ୍ର ହାଟରେ ନାଇଟ୍‌ ବଜାର ମଧ୍ୟ ୧୫ ତାରିଖରୁ ଆରମ୍ଭ ହେବ। ଅପରାହ୍ନ ୪ଟାରୁ ରାତି ୧୨ଟା ଯାଏ ଚାଲିବ କିଣାବିକା। ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ପ୍ଲାଟୁନ୍‌ ଫୋର୍ସ ଓ ୫ ପ୍ଲାଟୁନ୍‌ ଟ୍ରାଫିକ ଫୋର୍ସ ମୁତୟନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.