କଟକରେ ପୋଲିସର ଡବଲ ଏନକାଉଣ୍ଟର, ଚୌଦ୍ବାର ଇନ୍ଦ୍ରାଣୀପାଟଣାରେ ଦୁଇ କୁଖ୍ୟାତ ଅପରାଧୀଙ୍କୁ ଗୁଳି

କଟକ : ପାଖାପାଖି ଦେଢ଼ ବର୍ଷର ବ୍ୟବଧାନ ପରେ ପୁଣି କଟକ କମିଶନରେଟ ପୋଲିସ ବନ୍ଧୁକରୁ ଫୁଟିଛି ଗୁଳି । ଏନକାଉଣ୍ଟରରେ ଆହତ ହୋଇଛନ୍ତି ଦୁଇ ଅଭିଯୁକ୍ତc। ଗତକାଲି ବିଳମ୍ବିତ ରାତିରେ ଚୌଦ୍ଵାର ଥାନା ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ଗାଁ ନିକଟରେ ଜାତୀୟ ରାଜପଥ ୫୫ କଡ଼ରେ ଡବଲ ଏନ୍ କାଉଣ୍ଟର କରିଛି ସ୍ପେଶାଲ ସ୍କ୍ବାଡ। ଉଭୟ ଅଭିଯୁକ୍ତଙ୍କ ଆଣ୍ଠୁରେ ଗୁଳି ବାଜି ଥିବା ବେଳେ ଏବେ ଏସସିବିରେ ଚାଲିଛି ଚିକିତ୍ସା। ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ବ୍ୟକ୍ତି ସୁଧୁରି ଯାଆନ୍ତୁ ବୋଲି ଚେତାବନୀ ଦେଇଛନ୍ତି କଟକ ଡିସିପି।

ରାଜଧାନୀ ଭୁବନେଶ୍ଵର ପରେ କଟକ। ଗର୍ଜିଲା ପୋଲିସରବନ୍ଧୁକ। ଡବଲ ଏନକାଉଣ୍ଟର । ଦୁଇ ଅପରାଧୀ ଆହତ । ଅଭିଯୁକ୍ତ ଶୁଭ୍ରଜିତ୍ ପରିଡ଼ାର ଘର କଟକ ବୟାଳିଶ ମୌଜା ଅଞ୍ଚଳରେ । ତା ନାଁରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ଥାନାରେ ରହିଛି ୪୯ ଟି ମାମଲା। ସେହିପରି ଅଭିଯୁକ୍ତ ସଂଗ୍ରାମ ରାଉତ ନାଁରେ ରହିଛି ୧୫ଟି ଅପରାଧିକ ମାମଲା। ଗତକାଲି ରାତି ପ୍ରାୟ ସାଢ଼େ ବାରଟା ବେଳେ ଦୁଇ ଅପରାଧୀ ଶୁଭ୍ରଜିତ ଓ ସଂଗ୍ରାମ ବାଇକରେ ଯାଉଥିବା ବେଳେ ପିଛା କରିଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ଓ ଚୌଦ୍ଵାର ଥାନା ପୋଲିସ। ଚୌଦ୍ଵାର ଥାନା ଇନ୍ଦ୍ରାଣୀପାଟଣା ଗାଁ ନିକଟ ଜାତୀୟ ରାଜପଥ ୫୫ କଡ଼ରେ ଥିବା ଏକ ନିକାଞ୍ଚନ ଅଞ୍ଚଳ ଭିତରକୁ ପଶି ଯାଇଥିଲେ ଦୁଇ ଅଭିଯୁକ୍ତ। ଏଥିସହ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ । ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ପାଲଟା ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି । ଦୁଇ ଜଣକୁ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ, କିଛି ଗୁଳି ଏବଂ ଏକ ବାଇକ ଜବତ କରିଛି ପୋଲିସ। ଗତ ୨୦୨୩ ମସିହା ସେପ୍ଟେମ୍ବରରେ କଟକ ସଦର ଥାନା ଅଞ୍ଚଳରେ ଏକ ଏନକାଉଣ୍ଟର ହୋଇଥିଲା। ପୋଲିସ ଗୁଳିରେ ଆହତ ହୋଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁ। ଏହାର ପ୍ରାୟ ଦେଢ଼ ବର୍ଷ ପରେ ପୁଣି କଟକ କମିଶନରେଟ ପୋଲିସର ଡବଲ ଏନକାଉଣ୍ଟର । କଟକ ଡିସିପି ଭାବରେ ଋଷିକେଶ ଦୟାନନ୍ଦ ଖିଲାରି ଦାୟିତ୍ଵ ଗ୍ରହଣ କରିବା ପରେ ଏହା ଏହା ପ୍ରଥମ ଏନକାଉଣ୍ଟର। …
 ୨୦୦୮ ରେ କମିଶନରେଟ ପୋଲିସ ପ୍ରତିଷ୍ଠା ହେବା ଦିନ ଠାରୁ ୪୦ରୁ ଅଧିକ ଏନ୍ କାଉଣ୍ଟର କରି ସାରିଲାଣି କମିଶନରେଟ ପୋଲିସ। ଯାହା ଭିତରେ ରହିଛନ୍ତି ଅନେକ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର। ପୂର୍ବରୁ ଅଖିଳେଶ୍ୱର ସିଂଙ୍କ କଟକ ଡିସିପି ଦାୟିତ୍ୱରେ ଥିବା ବେଳେ ତାଙ୍କ କାର୍ଯ୍ୟକାଳ ଭିତରେ ସର୍ବାଧିକ ୨୭ଟି ଏନକାଉଣ୍ଟର ହୋଇଥିଲା ।