ରାଗ ରଖି ଡବଲ୍ ମର୍ଡର ! ଘରେ ପଶି ବାପ ପୁଅଙ୍କୁ ମାରିଦେଲେ

ଗୁଣୁପୁର: ଘର ଦୁଆରେ ରାସ୍ତାରେ ପଡ଼ିଥିଲା ଦୁଇ ଦୁଇଟି ମରଶରୀର । ଜଣେ ସରପଞ୍ଚଙ୍କ ସ୍ବାକୀ ଓ ଆଉ ଜଣେ ଶ୍ବଶୁର । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଲିକିଟିପଦର ପଞ୍ଚାୟତ ସାରିଗାଡା ଗାଁର ଘଟଣା । ବାପ ପୁଅଙ୍କୁ ଘରେ ପଶି ବୀଭତ୍ସ ହତ୍ୟା । ମୃତକ ହେଲେ ଅଗାଧୁ ଗମାଙ୍ଗ ଓ ସୁମ୍ବୁରା ଗମାଙ୍ଗ । ଘଟଣା ପରେ ଦୀର୍ଘ ସମୟ ଧରି ଘର ଦାଣ୍ଡରେ ପଡି ରହିଥିଲା ବାପା ପୁଅଙ୍କ ମରଶରୀର । ଆକ୍ରମଣ ସମୟରେ ସରପଞ୍ଚ ଜେନିତ ଗମାଙ୍ଗ ଅଳ୍ପକେ ବଞ୍ଚିଗଲେ । ଜୀବନ ବିକଳରେ ଦୈାଡି ଅନ୍ୟ ଏକ ଘରକୁ ପଳାଇ ଥିଲେ ସେ । ଦୁର୍ବୃତ୍ତମାନେ ଅଚାନକ ଘରେ ପଶି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ରୋକିବାକୁ କି ବାଧା ଦେବାକୁ କେହି ନଥିଲେ । ସେମାନେ ବାପ ପୁଅଙ୍କୁ ମାରି ଗାଁ ଦାଣ୍ଡରେ ପକାଇଦେଇ ଗଲେ ।

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପଦ୍ମପୁର ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ସହିତ ପହଞ୍ଚିଥିଲା । ହତ୍ୟାକାଣ୍ଡର ତଦନ୍ତ କରିବା ସହ ଗାଁରେ ଯେଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥି ପାଇଁ ରାୟଗଡା, ପଦ୍ମପୁର, ଗୁଣୁପୁର ପୋଲିସ୍ ପହଞ୍ଚି ରାତି ତମାମ ଜଗି ରହିଥିଲେ । ସ୍ବାମୀ ଓ ଶ୍ବଶୁରଙ୍କୁ ହତ୍ୟା କରାଯାଇଥିବା ନେଇ ସରପଞ୍ଚ ଜେନିତ ପଦ୍ମପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ମରଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଗୁଣୁପୁର ଉପଖଣ୍ଡ ମେଡିକାଲକୁ ପଠାଇଛି ।

ତେବେ ସରପଞ୍ଚ ଜେନିତଙ୍କ କହିବା ଅନୁଯାୟୀ ତାଙ୍କ ଦାଦା ଶ୍ୱଶୁରଙ୍କ ଝିଅର ବାହାଘର ଗତ ଏପ୍ରିଲ ୨୮ ତାରିଖରେ ସ୍ଥିର ହୋଇଥିଲା । କିନ୍ତୁ ଝିଅର ଭାଇ ନିଜ ଭଉଣୀକୁ ହିଁ ଦୁଷ୍କର୍ମ କରିବା ଅଭିଯୋଗ ଆସିବା ପରେ କୁଆଡେ ଝିଅଟିର ବିବାହ ଭାଙ୍ଗିଯାଇଥିଲା । ଏହି ଘଟଣାକୁ ନେଇ ସରପଞ୍ଚଙ୍କ ଶ୍ୱଶୁର ସୁମ୍ବୁରା ଗମାଙ୍ଗ ତାଙ୍କ ଭାଇ ଓ ପୁତୁରାକୁ ପଚରା ଉଚୁରା କରିଥିଲେ । ସମାଧାନ ପାଇଁ ବୁଝାଇ ଥିଲେ । ଏହି ପଚରା ଉଚରା କୁଆଡ଼େ କାଳ ହେଲା । ଏଥିରେ ପୁତୁରା ଏସପିନ ଓ ତା ବାପା ଉତକ୍ଷିପ୍ତ ହୋଇ ଯାଇଥିଲେ । ରାଗ ରଖି ସରପଞ୍ଚ ଜେନିତ ଓ ତାଙ୍କ ସ୍ଵାମୀ ଅଗାଧୁ ଗମାଙ୍ଗ ଘରେ ଥିବା ବେଳେ ଅଗାଧୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ଅଗାଧୁଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ପୁଅକୁ ହତ୍ୟା କରିବା ଜାଣି ବାପା ସମ୍ବୁରା ବାହାରକୁ ଦୌଡି ଆସିଥିଲେ । ସେହି ସମୟରେ ତାଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ପଛାଇ ନଥିଲେ । ବେଶ୍ କିଛି ସମୟ ଧରି ଘର ଦାଣ୍ଡରେ ମୃତଦେହ ପଡି ରହିଥିବାର ଦେଖିବାକୁ ମିଳିଥିଲା। ରାଗ ବଢ଼ିଗଲେ ପର ଆପଣା ସବୁ ଭୁଲିଯାଏ ମଣିଷ । ତେବେ ରାଗରେ ନିଜ ନିଜର ସମ୍ପର୍କୀୟଙ୍କୁ ମାରିବାକୁ ପଛାନ୍ତିନି କିଛି ଲୋକ । ଯାହାର ଉଦାହରଣ ହେଉଛି ଏହି ଘଟଣା । ତୁରନ୍ତ ଅପରାଧୀମାନଙ୍କୁ ଗିରଫ କରିବା ସହ କଠୋର ରୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।

ଆହୁରି ପଢନ୍ତୁ: ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ବୋମାମାଡ, ଜଣେ ଆହତ