ସିପାହୀ ଦୁର୍ଯ୍ୟୋଧନଙ୍କ ମୃତ୍ୟୁକୁ ନେଇ ସନ୍ଦେହ, ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ

ଭୁବନେଶ୍ୱର: କିଏ କହୁଥାଏ ଆହା କି ସୁନ୍ଦର ବ୍ୟବହାରର ମଣିଷଟିଏ ଥିଲେ ଚାଲିଗଲେ । କିଏ କହୁଥିଲେ ଏମିତି ଲୋକଥିଲେ ମାଛିକୁ ମ କୁହନ୍ତିନି । ସେମିତି ମଣିଷ ଏମିତି କାମ..ବିଶ୍ୱାସ ହେଉନି । ବଡ଼ ଭାଇଟି ଆସିଛି ଯେ କହୁଥାନ୍ତି ଗାଁକୁ ଗଲେ କାହାକୁ ଦାନ, କାହାକୁ ଦକ୍ଷିଣା ଦେଇ ପକାଏ । ସେହି ଭାଇ ଆଜି ଜୀବନ ହାରିବ । ଏକଥାକୁ ସେ ସହଜରେ ଗ୍ରହଣ କରିପାରୁନଥାନ୍ତି । ଏପଟେ କିଏ କହୁଥାନ୍ତୁ ସହକର୍ମୀ ନଥିଲା, ମଣିଷ ଭଳିଆ ମଣିଷଟିଏ ଥିଲା । ତା ଭଳି ଏତେ ଷ୍ଟ୍ରଙ୍ଗ, ସୁସ୍ଥ ମସ୍ତିସ୍କର ମଣିଷ କେବେ ଜୀବନ ଯୁଦ୍ଧରେ ହାରିଯିବ କାହିଁ କି କେଜାଣି ଜମା ବିଶ୍ୱାସ କରିବାକୁ ମନ କହୁନି ।
ଏମିତି ଅନେକ କଥା ମନ ଦୁଃଖ କରି କହୁଥାନ୍ତି ରୁଣ୍ଡ ହୋଇଥିବା ସହକର୍ମୀ ସହଯୋଗୀ, ପରିବାର ଆଉ ସାଙ୍ଗସାଥୀ । ସମସ୍ତଙ୍କ ମନରେ ଶୋକ ଆଉ କୋହ । କେହି କେବେ ଭାବି ନଥିଲେ ଏହି ସୁନ୍ଦର ମଣିଷଟିକୁ ହରାଇବାର ଦୁଃଖ ଏମିତି ହଠାତ୍ ସାମ୍ନା କରିବାକୁ ପଡିବ। ଦର୍ଶକବନ୍ଧୁ ଆମେ କହୁଛୁ ପୋଲିସ୍ ଦୁର୍ଯ୍ୟୋଧନ ମହାନ୍ତିଙ୍କ କଥା । ଯିଏ ଆଜି ସକାଳେ ପୋଲିସ୍ ରିଜର୍ଭ ଗ୍ରାଉଣ୍ଡରେ ଜୀବନ ହାରିଦେଇଛନ୍ତି । ହାରିଯାଇଛନ୍ତି ଜୀବନ ଯୁଦ୍ଧରେ । ଏଭଳି ସମସ୍ତଙ୍କ ଭଲ ପାଇବା ସାଉଣ୍ଟୁ ଥିବା ମଣିଷ ଦୁର୍ଯ୍ୟୋଧନଙ୍କ ଏମିତି କଣ ହେଲା ଯେ ଜୀବନ ହାରିବାକୁ ବାଧ୍ୟ ହେଲେ?
ତେବେ ଦୁର୍ଯ୍ୟୋଧନଙ୍କୁ ଆଦରରେ ସୁଜନ ବୋଲି ଡାକନ୍ତି ପରିବାର ତଥା ଗାଁ ଲୋକେ । ପରିବାର ଲୋକେ ଦେଇଥିବା ସୂଚନା ମୁତାବକ, ଘର ହେଉଛି କଟକ ଜିଲ୍ଲା ନିଆଳି ବ୍ଲକ ବିଳାଶୁଣୀ ଗାଁରେ । ଆଜକୁ ଦୀର୍ଘ ବର୍ଷ ହେଲାଣି କମିଶନରେଟ ପୋଲିସରେ ସେଭେନଥ୍ ବାଟାଲିୟନରେ ଜଣେ ସିପାହୀ ଭାବରେ କାର୍ଯ୍ୟ ତୁଲାଇ ଆସୁଥିଲେ । ଘର ପରିବାର, ସାହି ପଡିଶାରେ, ସହକର୍ମୀ ସମସ୍ତଙ୍କ ଠାରୁ ଭଲ ମଣିଷ ଭାବରେ ଢେର ଭଲ ପାଇବା ସ୍ନେହ ମମତା ସାଉଣ୍ଟୁ ଥିଲେ ।
ହଠାତ କଣ ହେଲା କେଜାଣି ଆଜି ସକାଳେ ରିଜର୍ଭ ଗ୍ରାଉଣ୍ଡ ପରିସରରେ ତାଙ୍କର ଆଉ ଜୀବନ ନଥିବାର ଖବର ଆସିଲା ଘର ଲୋକଙ୍କ ପାଖକୁ । ଘର ଲୋକ ପହଁଚିଲା ବେଳକୁ ଦୁର୍ଯ୍ୟୋଧନଙ୍କ ମୃତ ଶରୀର କ୍ୟାପିଟାଲ ହସ୍ପିଟାଲକୁ ନିଆସରିଥିଲା । ସେଠାରେ ପୋଲିସ୍ ତାଙ୍କ ଶରୀରକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।
ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ତାହା ସହିତ ପୋଲିସ୍ ପକ୍ଷରୁ କୁହାଯାଇଛି କି, ଦୁର୍ଯ୍ୟୋଧନଙ୍କ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ହିଁ ଜଣା ପଡିବ ପ୍ରକୃତ ଘଟଣା କଣ? ଏପଟେ କିନ୍ତୁ ଦୁର୍ଯ୍ୟୋଧନଙ୍କ ବଡ଼ ଭାଇ ଓ ପରିବାର ଲୋକେ ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରିନଥିବାବେଳେ ଦୁର୍ଯ୍ୟୋଧନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ତାଛଡା ଦୁର୍ଯ୍ୟୋଧନଙ୍କ ପ୍ରାଣ ହାରିବାକୁ ନେଇ ଏତଲା ଦେବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି ।