ଉଦୟଗିରି ଠାରେ ଗୁରୁ ପଦ୍ମ ସମ୍ଭବ ମହାସମାବେଶ, ବୌଦ୍ଧ ସନ୍ୟାସୀଙ୍କ ଆଶୀର୍ବାଦ ନେଲେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଯାଜପୁର ଉଦୟଗିରିଠାରେ ଲାଇଟ୍‍ ଅଫ୍‍ ବୁଦ୍ଧଧର୍ମ ଫାଉଣ୍ଡେସନ୍‍ ଇଣ୍ଟରନ୍ୟାସନାଲ ପକ୍ଷରୁ ଆୟୋଜିତ ପ୍ରଥମ ଗୁରୁ ପଦ୍ମ ସମ୍ଭବ ମହାସମାବେଶର ତୃତୀୟ ଦିନରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ବୌଦ୍ଧ ସନ୍ୟାସୀଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ।

ଏହି ମହାସମାବେଶରେ ଭାରତ ସମେତ ୧୭ଟି ଦେଶରୁ ପ୍ରାୟ ୧୫ଶହ ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେଇଛନ୍ତି । ଡ. ସାମନ୍ତ ଏହି ସମାବେଶ ପାଇଁ ନିମନ୍ତ୍ରଣ ପାଇ ସେଠାରେ ପହଞ୍ଚିଥିଲେ । ବୌଦ୍ଧ ଧର୍ମଗୁରୁ ଗେତ୍ରଲ୍‍ ଜିଗମେ ରିନ୍ ପଞ୍ଚେ ଡ. ଅଚ୍ୟୁତ ସାମନ୍ତଙ୍କର ଜଣେ ଶୁଭେଚ୍ଛୁ ହୋଇଥିବାରୁ ଏହି କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ ।

ଏହି ଅବସରରେ ରିନ୍ ପଞ୍ଚେଙ୍କ ପିତା ମହାମହିମ ନମଖା ଡ୍ରିମେଡ ରିନ୍ ପଞ୍ଚେଙ୍କୁ ସାକ୍ଷାତ କରି ଡ. ସାମନ୍ତ ଆଶୀର୍ବାଦ ଗ୍ରହଣ କରିଛନ୍ତି । ନିଜ ପ୍ରତିକ୍ରିୟାରେ ଡ. ସାମନ୍ତ କହିଛନ୍ତି ହଜାର ବର୍ଷର ଇତିହାସ ଓଡ଼ିଶାର ଗର୍ବ ଓ ଗୌରବ ରତ୍ନଗିରି ଓ ଉଦୟଗିରିରେ ସ୍ଥାପିତ ବୌଦ୍ଧ ଆଶ୍ରମରେ ୧୭ଟି ବିଭିନ୍ନ ଦେଶରୁ ବୌଦ୍ଧ ସନ୍ନ୍ୟାସୀ ଆସି ସମାବେଶରେ ଯୋଗ ଦେଇଛନ୍ତି । ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ଏକ ସୌଭାଗ୍ୟର ବିଷୟ ।