କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଦିଆଗଲା ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ସମ୍ମାନ

ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆ (ସିଏସ୍‌ଆଇ) ପକ୍ଷରୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ତିନିଦିନ ଧରି ଚାଲିଥିବା ଏହି ସିଏସ୍‌ଆଇର ୫୩ ତମ ବାର୍ଷିକ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଶନିବାର ଡକ୍ଟର ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଥିରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ସାମନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସାଇବର ସୁରକ୍ଷା ପରାମର୍ଶଦାତା ଡ. ଗୁଲସନ୍‌ ରାୟ, ନ୍ୟାସନାଲ୍‌ ବୋର୍ଡ ଅଫ୍‌ ଆକ୍ରିଡିଟେସନ୍‌ର ଅଧ୍ୟକ୍ଷ ପ୍ରଫେସର୍‌ କେ କେ ଅଗ୍ରଓ୍ଵାଲ୍‌, ଆଇଏଫ୍‌ଆଇପିର ଅଧ୍ୟକ୍ଷ ପ୍ରଫେସର୍‌ ମାଇକ୍‌ ହିଞ୍ଚି, ସିଏସ୍‌ଆଇ ଇଣ୍ଡଷ୍ଟ୍ରି କମିଟିର ଆବାହକ ଅଙ୍କୁର ପଟେଲ୍‌, ସମ୍ମିଳନୀ କାର୍ଯ୍ୟକ୍ରମ କମିଟି ପ୍ରଫେସର୍‌ ପି କେ ବେରୋ, ସମ୍ମିଳନୀ କମିଟିର ଅଧ୍ୟକ୍ଷ ଆର କେ ବ୍ୟାସ୍‌ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷା ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ପ୍ରଯୁକ୍ତି ବିଦ୍ୟାର ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଡକ୍ଟର ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ସିଏସ୍‌ଆଇ ପକ୍ଷରୁ କୁହାଯାଇଛି ।

 ଏହି ସମ୍ମାନ ଗ୍ରହଣ କରି ଡକ୍ଟର ସାମନ୍ତ କହିଛନ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବେ ଆମ ପ୍ରତ୍ୟେକଙ୍କ ଜୀବନର ଏକ ଅଙ୍ଗ ପାଲଟିଛି । ପ୍ରତି କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଅପରିହାର୍ଯ୍ୟ ହୋଇପଡିଛି । ସିଏସ୍‌ଆଇ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ଡକ୍ଟର ସାମନ୍ତ ସିଏସ୍‌ଆଇର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ସୂଚନାଯୋଗ୍ୟ, ୨୦୧୪ ରେ ଡକ୍ଟର ସାମନ୍ତଙ୍କୁ ସିଏସ୍‌ଆଇ ପକ୍ଷରୁ ସମ୍ମାନସୂଚକ ଫେଲୋସିପ୍‌ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.