ଡ. ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟପ୍ରଦେଶର ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ

ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟପ୍ରଦେଶର ରେୱାସ୍ଥିତ ଅବଧେଶ ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି । ଗୁରୁବାର ଅବଧେଶ ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ସମାରୋହ ଅବସରରେ ଡ. ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୬୩ତମ ସମ୍ମାନସୂଚକ ଡକ୍ଟରେଟ୍‍ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଡ. ଅଚ୍ଯୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏହି ସମ୍ମାନ ଗ୍ରହଣ କରି ଡ. ସାମନ୍ତ କହିଛନ୍ତି, ବିଗତ ୩୩ବର୍ଷ ଧରି ମୁଁ ନିରନ୍ତର ସମାଜସେବା କରିଆସୁଛି । ଏହି ସମ୍ମାନ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ ବୋଲି ଡ. ଅଚ୍ୟୁତ ସାମନ୍ତ କହିଛନ୍ତି । ଏହା ପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି ।

କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ମଙ୍ଗୁଭାଇ ପଟେଲ ଓ କୁଳପତି ଡ. ରାଜକୁମାର ଆଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ୧୯୬୮ ମସିହାରେ ପ୍ରତିଷ୍ଠିତ ଅବଧେଶ ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟ ଏକ ସମ୍ମାନଜନକ ସରକାରୀ ବିଶ୍ୱବିଦ୍ୟାଳୟ ।