ଡ.ଅଚ୍ୟୁତ ସାମନ୍ତଙ୍କୁ ଷଷ୍ଠ ସମ୍ମାନସୂଚକ ଫେଲୋସିପ୍, ନୂଆଦିଲ୍ଲୀସ୍ଥିତ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସ ଇଣ୍ଡିଆ କଲା ସମ୍ବର୍ଦ୍ଧିତ
ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ନୂଆଦିଲ୍ଲୀସ୍ଥିତ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସ ଇଣ୍ଡିଆ ପକ୍ଷରୁ ସମ୍ମାନସୂଚକ ଫେଲୋସିପ ପ୍ରଦାନ କରାଯାଇଛି । ସେପ୍ଟେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସ ଇଣ୍ଡିଆ ପକ୍ଷରୁ ଚାଲିଥିବା ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ ‘ଫାୟାର ଇଣ୍ଡିଆ ୨୦୨୪’ ଅବସରରେ ଶୁକ୍ରବାର ଡ. ଅଚ୍ୟୁତ ସାମନ୍ତଙ୍କୁ ଏହି ଫେଲୋସିପ ପ୍ରଦାନ କରାଯାଇଛି । ଦୀର୍ଘ ୩ ଦଶନ୍ଧୀ ଧରି ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଏହି ଫେଲୋସିପ ପ୍ରଦାନ କରାଯାଇଛି ।
ଗତ ମାର୍ଚ୍ଚ ମାସରେ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସ କାର୍ଯ୍ୟକାରିଣୀ ପରିଷଦର ଜୁରି ସଦସ୍ୟଙ୍କ ଦ୍ୱାରା ଡ. ଅଚ୍ୟୁତ ସାମନ୍ତଙ୍କ ନାମ ଚୟନ କରାଯାଇଥିଲା । ଆଜି ଡ. ସାମନ୍ତ ଏହି ଫେଲୋସିପ ଗ୍ରହଣ କରି ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସକୁ କୃତଜ୍ଞତା ଜଣାଇବା ସହ ଏହାର ମହାନିର୍ଦ୍ଦେଶକ ଡ. ୟୁ ଏସ୍ ଛିଲ୍ଲାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ହେଉଛି ଡ. ଅଚ୍ୟୁତ ସାମନ୍ତଙ୍କର ୬ଷ୍ଠ ଫେଲୋସିପ । ଏହା ପୂର୍ବରୁ ଆଇଏସ୍ଟିଇ, ସିଏସ୍ଆଇ, ଆଇସିଏ, ଏପିଏସିଏଚ୍ ଓ ଲଣ୍ଡନର ରୟାଲ ସୋସାଇଟି ଅଫ୍ କେମିଷ୍ଟ୍ରି ଭଳି ଦେଶ ବିଦେଶର ଖ୍ୟାତି ସମ୍ପନ୍ନ ୫ଟି ଅନୁଷ୍ଠାନରୁ ଫେଲୋସିପ ପାଇସାରିଛନ୍ତି । ଏହି ଅବସରରେ କିସ୍ ଓ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣା ଫଳରେ କିସ୍ର ୧ଶହ ଛାତ୍ରଛାତ୍ରୀ ଫାୟାର୍ ଇଞ୍ଜିନିୟରିଂ ତାଲିମ୍ ପାଇପାରିବେ । ଏହା ଦ୍ୱାରା କିସ୍ର ବହୁ ଛାତ୍ରଛାତ୍ରୀ ଭବିଷ୍ୟତରେ ଉପକୃତ ହୋଇପାରିବେ ବୋଲି ଡ. ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି ।