କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ୬୦ତମ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର: ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆସାମ ଡାଉନ୍‍ ଟାଉନ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି । ବୁଧବାର ଗୁଆହାଟିସ୍ଥିତ ଆସାମ ଡାଉନ୍‍ ଟାଉନ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ସମାରୋହ ଅବସରରେ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଓ ସମ୍ମାନୀୟ ଅତିଥି ଆସାମ ଜନସ୍ୱାସ୍ଥ୍ୟ, ନିଯୁକ୍ତି, ପର୍ଯ୍ୟଟନ ଓ ଦକ୍ଷତା ବିଭାଗ ମନ୍ତ୍ରୀ ଜୟନ୍ତ ବରୁଆ ପ୍ରମୁଖଙ୍କ ଉପସ୍ଥିତିରେ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହା ହେଉଛି ଡ. ଅଚ୍ୟୁତ ସାମନ୍ତଙ୍କ ୬୦ତମ ସମ୍ମାନସୂଚକ ଡକ୍ଟୋରେଟ୍‍ । ଶିକ୍ଷା, ସ୍ୱାସ୍ଥ୍ୟ, ଜନଜାତି ବିକାଶ, କଳା, ସଂସ୍କୃତି, ସାହିତ୍ୟ ଓ ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଡ. ସାମନ୍ତ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ନ ପାରିବାରୁ ତାଙ୍କ ପ୍ରତିନିଧି ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ସମ୍ମାନ ନିମନ୍ତେ ଡ. ସାମନ୍ତ ଆସାମ ଡାଉନ୍‍ ଟାଉନ୍‍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ କୃତଜ୍ଞତା ଜଣାଇଛନ୍ତି ।

ଏହା ପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଡ. ସାମନ୍ତଙ୍କୁ ସମ୍ମାନସୂଚକ ଡ଼କ୍ଟୋରେଟ୍‍ ଡ଼ିଗ୍ରୀ ପ୍ରଦାନ କରାଯାଇଛି । ୨୦୦୯ରେ ଡ. ସାମନ୍ତ ପ୍ରଥମେ କାମ୍ବୋଡ଼ିଆ ନ୍ୟାସ୍‍ନାଲ୍‍ ୟୁନିଭରସିଟିରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପାଇଥିଲେ । ବର୍ତ୍ତମାନ ସୁଦ୍ଧା ସେ ଦେଶ ବିଦେଶର ବହୁ ବିଶ୍ୱବିଦ୍ୟାଳୟରୁ ୬୦ଟି ସମ୍ମାନସୂଚକ ଡକ୍ଟୋରେଟ୍‍ ପାଇ ସାରିଲେଣି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like