କୋଭିଡ୍ ସମୟରେ ଯେଉଁ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଶ୍ନ କଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ
କେନ୍ୟୁଜ୍(ବ୍ୟୁରୋ): କୋଭିଡ୍ ସମୟରେ ଯେଉଁ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପ୍ରସଙ୍ଗ ଉଠାଇଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ପଚାରିଥିଲେ ପ୍ରଶ୍ନ। ସ୍କୁଲ ଖୋଲିବା ପରେ ଯେଉଁ ଛାତ୍ର ସ୍କୁଲ ଯିବା ସ୍ଥିତିରେ ନାହାନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପାଖରେ କିଛି ପ୍ରସ୍ତାବ ରହିଛି କି? କୋଭିଡ୍ ମହାମାରୀ ଯୋଗୁଁ ଯେଉଁ ଛାତ୍ରଛାତ୍ରୀଙ୍କ ପରିବାର ପ୍ରଭାବିତ ସେମାନଙ୍କ ଆର୍ଥିକ ଅବସ୍ଥା ବଦଳିଯାଇଛି।
ସେମାନଙ୍କ ପାଇଁ କଣ ପଦକ୍ଷେପ ନିଆଯାଇଛି କିମ୍ବା ନେବାକୁ ପ୍ରସ୍ତାବ ରହିଛି? କୋଭିଡ୍ ସମୟରେ ଯେଉଁ ଛାତ୍ରଛାତ୍ରୀ ଅନଲାଇନରେ ଶିକ୍ଷା ପାଇ ପାରି ନାହାନ୍ତି ସେମାନଙ୍କ ପାଇଁ ସରକାର କିଛି କରିବାକୁ ଯୋଜନା କରିଛନ୍ତି କି? ଗ୍ରାମାଞ୍ଚଳ ଓଡ଼ିଶା ବିଶେଷ କରି କନ୍ଧମାଳ ନିର୍ବାଚନମଣ୍ଡଳୀରେ ବୈଷୟିକ ବ୍ୟବସ୍ଥା ଓ ଇଣ୍ଟରନେଟ୍ ଭିତ୍ତିଭୂମି ଅଭାବରୁ ଛାତ୍ରଛାତ୍ରୀ ଅନ୍ଲାଇନ୍ ଶିକ୍ଷାର ଫାଇଦା ପାଇ ପାରୁ ନାହାନ୍ତି। ତେଣୁ ଗ୍ରାମାଞ୍ଚଳ ଓ ଆଦିବାସୀ ଅଂଚଳର ଛାତ୍ରଛାତ୍ରୀଙ୍କୁ ଅନଲାଇନ ଶିକ୍ଷା ସୁବିିଧା ପାଇଁ ସୁଲଭ ମୂଲ୍ୟରେ ସ୍ମାର୍ଟ ଫୋନ୍, ଲ୍ୟାପ୍ଟପ ଭଳି ଉପକରଣ ଯୋଗାଇ ହେବ କି? ପ୍ରଶ୍ନର ଉତ୍ତରେ ମନ୍ତ୍ରୀ କହିଛନ୍ତି, ଶିକ୍ଷା କନ୍କରେଣ୍ଟ ଲିଷ୍ଟରେ ରହିଛି।
ଅଧିକାଂଶ ସ୍କୁଲ ରାଜ୍ୟ ଅଧିନରେ ଆସୁଛି। ଜାନୁଆରୀ ୭ ତାରିଖରେ ସ୍କୁଲ ଏଜୁକେସନ ବିଭାଗ ତରଫରୁ ରାଜ୍ୟଗୁଡିକୁ ଗାଇଡଲାଇନ ଜାରି କରାଯାଇଥିଲା। ମହାମରୀ ସମୟରେ ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ କିମ୍ବା ଇଣ୍ଟରନେଟ୍ ସେବା ନାହିଁ ସେମାନଙ୍କ ପାଇଁ ବହୁ ପଦକ୍ଷେପ ନିଆଯାଇଥିଲା। ସ୍ୱଂୟପ୍ରଭାର ୧୨ଟି ଡିଟିଏଚ୍ ଚ୍ୟାନେଲ ଜରିଆରେ ସ୍କୁଲ ଶିକ୍ଷା ପ୍ରଦାନ କରାଯାଉଛି। ରେଡିଓ, କମ୍ୟୁନିଟି ରେଡିଓର ବହୁଳ ବ୍ୟବହାର ହୋଇଛି। ପୋଡ୍କାଷ୍ଟ ଶିକ୍ଷାବାଣୀ ଜରିଆରେ ନବମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ଦିଆଯାଉଛି। ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ଗୋଟିଏ ଡିଟିଏଚ୍ ଚ୍ୟାନଲେରେ ଶିକ୍ଷାଦାନ କରାଯାଉଛି।.