ଭୁବନେଶ୍ୱର : ଶିକ୍ଷା, ସ୍ଵାସ୍ଥ୍ୟ ଓ ସମାଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶିକ୍ଷାବିତ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ଯଶସ୍ଵୀ ସମ୍ମାନ ପ୍ରଦାନ କରାଯାଇଛି । ଆଜି ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ନେପାଳସ୍ଥିତ ବ୍ରିଟେନ ରାଷ୍ଟ୍ରଦୂତ ରବ ଫେନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାମନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ଅବସରରେ ଆୟୋଜିତ ପ୍ୟାନେଲ ଆଲୋଚନାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପୂର୍ବତନ ଭାରତ ମୁଖ୍ୟ ବିଶ୍ଵ ପାରାଜୁଲିଙ୍କ ସହ ଶିକ୍ଷା, ସଂସ୍କୃତି, ଭାରତ ଏବଂ ନେପାଳ ମଧ୍ୟରେ ଥିବା ସୁସମ୍ପର୍କ ଆଦି ବିଷୟ ଉପରେ ଶ୍ରୀ ସାମନ୍ତ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ନେପାଳ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ସେଠାରେ ଶିକ୍ଷା ଓ ସ୍ବାସ୍ଥ୍ୟସେବାର ବିକାଶ ନେଇ ଆଲୋଚନା କରିଥିଲେ ।
ଶ୍ରୀ ସାମନ୍ତଙ୍କ ଦିନିକିଆ ନେପାଳ ଗସ୍ତ ଅବସରର କିଟ୍ ବିଶ୍ଵବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ନେପାଳ ଛାତ୍ରଛାତ୍ରୀଙ୍କ ସହ ସେ ଦୀର୍ଘ ସମୟ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କିଟର ବହୁ ପୁରାତନ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଯୋଗ ଦେଇଥିଲେ । ଆଜି ସନ୍ଧ୍ୟାରେ କାଠମାଣ୍ଡୁଠାରେ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ସହ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନେପାଳ ରାଷ୍ଟ୍ରପତି ଶ୍ରୀ ରାମ ଚନ୍ଦ୍ର ପୁଡେଲ ଓ ଉପରାଷ୍ଟ୍ରପତି ଶ୍ରୀରାମ ସାହାୟ ଯାଦବଙ୍କ ସହ ଶ୍ରୀ ସାମନ୍ତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଶିକ୍ଷାର ମହତ୍ଵ ଓ କିଟ ଓ କିସ ଜରିଆରେ ଶ୍ରୀ ସାମନ୍ତ କରୁଥିବା କାର୍ଯ୍ୟକୁ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭୂୟସୀ ପ୍ରଶଂସା କରିଥିଲେ ।