ଆଜି ରାଜ୍ୟପାଳ ଭାବେ ଶପଥ ନେବେ ଡ. ହରିବାବୁ କମ୍ଭମପତି, ଶପଥ ପାଠ କରାଇବେ ହାଇକୋର୍ଟ ମୁଖ୍ୟ ବିଚାରପତି
ଭୁବନେଶ୍ଵର : ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ଡକ୍ଟର ହରିବାବୁ କମ୍ଭମପତି । ସକାଳ ୧୦ଟା ୧୫ ମିନିଟ ସମୟରେ ରାଜଭବନ ଅଭିଷେକ ହଲ୍ ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ହାଇକୋର୍ଟ ମୁଖ୍ୟ ବିଚାରପତି । ରଘୁବର ଦାସଙ୍କ ଇସ୍ତଫା ପରେ ଗତ ୨୪ ତାରିଖରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି।
ଗତକାଲି ସେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ସିଧା ପୁରୀ ଯାଇଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରି ପୁରୀ ରାଜଭବନରେ ରାତ୍ରିଯାପନ କରିଥିଲେ। ଆଜି ପୁରୀରୁ ଭୁବନେଶ୍ବର ଆସିବେ। ଓଡ଼ିଶାବାସୀଙ୍କ ସେବା ପାଇଁ କଣ କଣ ସବୁ କରିହେବ, ଶପଥ ନେବା ପରେ ସେ କଥା କହିବେ ବୋଲି ଗତକାଲି କହିଥିଲେ କମ୍ଭମପତି।
ହରି ବାବୁ କମ୍ଭମପତି ୨୦୨୧ ଜୁଲାଇ ୧୯ତାରିଖରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ । ତେବେ ନିକଟରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଥିଲେ ଏବଂ ତାଙ୍କ ସ୍ଥାନରେ ମିଜୋରାମର ରାଜ୍ୟପାଳ ଥିବା ଡକ୍ଟର ହରି ବାବୁ କମ୍ଭମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ।