ଘରେ ପଶିଲା ଡ୍ରେନ ପାଣି, ଚିନ୍ତାରେ ଲୋକେ

ବର୍ଷା ନାହିଁ କିନ୍ତୁ ଘରେ ପଶିଲା ଡ୍ରେନ ପାଣି । ଘର ଆଗରେ ଡ୍ରେନ ପାଣିର ଲହଡ଼ି । ଲୋକେ ଡ୍ରେନ ପାଖରେ ରହିବାକୁ ବି ପସନ୍ଦ କରନ୍ତି ନାହିଁ । କିନ୍ତୁ ଲୋକଙ୍କ ଘର ଆଗରେ ଆଣ୍ଠୁଏ ଆଣ୍ଠୁଏ ପାଣିର ଡ୍ରେନ ପାଣି ଭର୍ତ୍ତି ହୋଇଛି । ଡ୍ରେନ ପାଣି ପାଇଁ ଲୋକେ ଘରୁ ବାହାରିବାକୁ ବି ଇଚ୍ଛା କରୁ ନାହାନ୍ତି ।

ତେବେ ଅନୁଗୋଳ ପୌରପାଳିକା ୧୮ନମ୍ବର ୱାର୍ଡର ପାଖାପାଖି ୮ଟି ଘରେ ଡ୍ରେନ ପାଣି ପଶିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘର ପାଖ ଦେଇ ଯାଇଥିବା କେନାଲ କାମ ଚାଲିଥିବା ବେଳେ ସାଇଫନ ପୋଲ ଜାମ ହେବାରୁ  ଲୋକଙ୍କ ଘରେ ପଶିଛି ଡ୍ରେନ ପାଣି । ଘରେ ପାଣି ଜମି ରହିଥିବାରୁ ଲୋକେ ରୋଷେଇ କରି ପାରୁ ନାହାନ୍ତି । ଅନୁଗୋଳ ହେମସୁରପଡାର ହନୁମାନ ଛକ ସାହିରେ ଡ୍ରେନ୍‌ ପାଣି ଘରକୁ ପଶିଯାଇଛି । ମ୍ୟୁନିସିପାଲିଟି ଡ୍ରେନ୍‌ ସଫେଇ କରାଯାଇ ନ ଥିବାରୁ ଓ ଅନେକ ସ୍ଥାନରେ ଜବରଦଖଲ ସମସ୍ୟା ରହିଥିବାରୁ  ଡ୍ରେନ୍‌ ପାଣି ନିଷ୍କାସିତ ହୋଇପାରୁ ନାହିଁ । ବିଭିନ୍ନ ସମୟରେ ଅନୁଗୋଳ ପୌରପାଳିକାର ଏଭଳି ଅସାବଧାନତା କାମ ପାଇଁ ସାଧାରଣ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେପଟେ ପୌରପାଳିକା କର୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ବୋଲି କହିଛନ୍ତି ୱାର୍ଡ ବାସିନ୍ଦା ।

ଲୋକେ ଘର କରି ଭଲରେ ରହିବାକୁ ଚାହାନ୍ତି । କିନ୍ତୁ ଡ୍ରେନ ପାଣି ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି  । ଲୋକେ ଘର ଭିତରେ ନା ଶାନ୍ତିରେ ଶୋଇ ପାରୁଛନ୍ତି ନା ଖାଇ ପାରୁଛନ୍ତି । ତୁରନ୍ତ ଡ୍ରେନ ପାଣି ନିଷ୍କାସନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।