ଅନୁଗୁଳ: ହସ୍‌ପିଟାଲ ଭିତରେ ପଶିଲା ଡ୍ରେନ୍‌ ପାଣି, ହନ୍ତସନ୍ତ ରୋଗୀ ଓ ସମ୍ପର୍କୀୟ

ପ୍ରବଳ ବର୍ଷା ଉବୁଟୁବୁ ଅନୁଗୁଳ ଜିଲ୍ଲା ପାଲଲହଡା। ବର୍ଷା ଓ ଡ୍ରେନ୍‌ ପାଣି ରାସ୍ତାରୁ ଉଛୁଳି ହସ୍‌ପିଟାଲ ଭିତରେ ପଶିଲା। ଫଳରେ ପାଲଲହଡା ଡାକ୍ତରଖାନାର ଆଉଟଡୋର, ୱାର୍ଡ ଓ ଡ୍ୟୁଟି ରୁମ୍‌ରେ ଲହଡି ମାରୁଛି ପାଣି। ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶି ଯିବା ଆସିବା କରୁଛନ୍ତି ସେମାନେ। ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୱାର୍ଡ ଭିତରେ ପାଣି ପଶି ଯାଇଥିବାରୁ ରୋଗୀମାନଙ୍କୁ ଉପର ମହଲାରେ ଥିବା ସର୍ଜରୀ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି। ଡାକ୍ତରଖାନା ପାଖରେ ଥିବା ଡ୍ରେନ୍‌ ସଫା ହେଉନଥିବାରୁ ପ୍ରତିବର୍ଷ ବର୍ଷା ଦିନେ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି।