ମାଲକାନଗିରି: କଥାରେ ଅଛି ଟଙ୍କା ମୁହଁ କରେ ବଙ୍କା । ଗାଁ ଗାଁରେ ଲୋକଙ୍କୁ ୠଣ ଟଙ୍କା ଦେଇ ସୁଧ ସଂଗ୍ରହ କରୁଥିଲେ । ସେହି ଟଙ୍କା ସେ ଚାକିରି କରିଥିବା ଫାଇନାନ୍ସ ବ୍ୟାଙ୍କରେ ଜମା କରୁଥିଲେ । ହେଲେ ସବୁବେଳେ ନିଜ ହାତରେ ଟଙ୍କା କାରବାର କରୁଥିବା ଲୋକଟିକୁ ଅର୍ଥ ଲୋଭ ଗ୍ରାସ କଲା । ଆଉ ସେହି ଲୋଭ ତାଙ୍କୁ ଅପରାଧ କରିବାକୁ ବାଟ କଢ଼ାଇ ନେଲା । ଘରୋଇ ଫାଇନାନ୍ସ ବ୍ୟାଙ୍କର ଜମାଟଙ୍କାକୁ ନାଟକୀୟ ଢଙ୍ଗରେ ହଡ଼ପ ଉଦ୍ୟମ କରି ୨୪ ଘଣ୍ଟା ମଧ୍ୟରେ ବନ୍ଧା ହେଲେ ଫାଇନାନ୍ସ କର୍ମଚାରୀ । ନିଜେ କାମ କରୁଥିବା ଫାଇନାନ୍ସ ବ୍ୟାଙ୍କର ଟଙ୍କା ହଡପ ଯୋଜନା କରିଥିଲେ ।
ହେଲେ ସେହି ଷଡ଼ଯନ୍ତ୍ରରେ ନିଜେ ଫସିଗଲେ କର୍ମଚାରୀ ଜଣକ । ତେବେ ଦର୍ଶକ ବନ୍ଧୁ ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ । ଗତ ୧୬ ତାରିଖ ସନ୍ଧ୍ୟାରେ ଏକ ବେସରକାରୀ ଋଣ ପ୍ରଦାନକାରୀ ଫାଇନାନ୍ସ ବ୍ୟାଙ୍କର ମ୍ୟାନେଜର ପୋଲିସରେ ଏତଲା ଦେଲେ ଯେ ତାଙ୍କର ଜଣେ ଏଜେଣ୍ଟ ଟଙ୍କା ନେଇ ଆସୁଥିବା ବେଳେ ତାଙ୍କ ଠାରୁ ୪ ଲକ୍ଷରୁ ଊର୍ଦ୍ଧବ ଟଙ୍କା ଲୁଟ୍ ହୋଇଛି । ଜଙ୍ଗଲ ଭିତରେ ଦୁର୍ବୃତ୍ତମାନେ ସେମାନଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି ।
ଅଭିଯୋଗ ଅନୁଯାୟୀ ଚୟନ ମଣ୍ଡଲ ଓ ସୂରଜ ସରକାର ନାମକ ଦୁଇ ଜଣ କର୍ମଚାରୀ ପଡିଆ ବ୍ଲକ ଅନ୍ତର୍ଗତ ଏମପିଭି ୬୬ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଋଣ ନେଇ ଥିବା ଲୋକଙ୍କ ଠାରୁ ଟଙ୍କା ଆଦାୟ କରି କାଲିମେଳା ଅଭିମୁଖେ ଫେରୁଥିଲେ । ରାତି ପ୍ରାୟ ସାଢେ ଆଠଟା ବେଳେ ଉଭୟ ଉଣ୍ଡୁରୁକୋଣ୍ଡା ଜଙ୍ଗଲ ଦେଇ ଫେରୁଥିବା ବେଳେ ମାଧବ ଦଳପତି ସମେତ ତିନିଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଚାରି ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହଡପ କରି ନେଇଥିଲେ ବୋଲି ଏତଲାରେ ଲେଖା ଯାଇଥିଲା । ଚୟନ ମଣ୍ଡଲ ଏବଂ କାଲିମେଳା ଶାଖା ମ୍ୟାନେଜର ମୋହନ ଶଗରିଆ ପଡିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ପଡିଆ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିବା ବେଳେ ଜଣକର ମୋବାଇଲ ସେଠାରୁ ଉଦ୍ଧାର ହେଲା । ତେବେ ଏହି ମୋବାଇଲ ଖୋଲିଲା ଲୁଟ୍ ଘଟଣାର ଅସଲ ରହସ୍ୟ । ଛାନଭିନ୍ କରିବାରୁ ସାମ୍ନାକୁ ଆସିଲା ଚକିତ କଲା ଭଳି ତଥ୍ୟ । ଆଉ ଜଣାପଡ଼ିଲା ଟଙ୍କା ଲୁଟ୍ କୌଣସି ଦୁର୍ବୃତ୍ତ ନୁହନ୍ତି ଏହି ଦୁଇ କର୍ମଚାରୀ ହିଁ ସାମିଲ ଅଛନ୍ତି । ସେମାନେ ନିଜେ ହିଁ ଲୁଟ ଯୋଜନା ରଚିଥିବା ପୋଲିସ ଜାଣିବାକୁ ପାଇଲା । ମାଲକାନଗିରି ଏସଡିପିଓ ସଚିନ ପଟେଲଙ୍କ ନେତୃତ୍ଵରେ ପଡିଆ ଥାନା ଅଧିକାରୀ ରାମେଶ୍ଵର ପ୍ରଧାନ ଓ ଏସ୍ଆଇ ନିରୋଦ କୁମାର ବାଘ ଏକ ଟିମ୍ ସହ ବ୍ୟାଙ୍କ କର୍ମଚାରୀ ସୂରଜ ସରକାରଙ୍କ ଘର ସମେତ ବିଭିନ୍ନ ସ୍ଥାନକୁ ଚଢାଉ କରିଥିଲେ ।
ଏହାପରେ ପଡିଆ ପୋଲିସ ଘଟଣାର ମୁଖ୍ୟ ଆସାମୀ ସୂରଜ ସରକାର ଓ ତାର ସହଯୋଗୀ ଆଶିଷ ମଣ୍ଡଳକୁ ଗିରଫ କରିଥିଲା । ସେମାନଙ୍କ ମୁହଁରୁ ସତ ବାହାର କରିବା ପରେ କୋର୍ଟ ଚାଲାଣ କରିଛି । ଏଥିସହ ପଡିଆ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଘଟଣା ଏବେ ଚର୍ଚ୍ଚାରେ ଅଛି । ତେବେ ନାଟକୀୟ ଢଙ୍ଗରେ ଡକାୟତି ହୋଇଥିବା ଏହି ଘଟଣାର ତୁରନ୍ତ ପର୍ଦ୍ଦାଫାସ କରିଥିବାରୁ ପୋଲିସକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ । ମାଧବ ଦଳପତି ସମେତ ଅନ୍ୟ ଆସାମୀଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ମାଲକାନଗିରି ଏସଡିପିଓ କହିଛନ୍ତି ।
କୁହାଯାଏ ନା ଚୋର ଘର ସବୁବେଳେ ଅନ୍ଧାର ରହେ ନାହିଁ । କେବେ ନା କେବେ ତାର କଳା କାରନାମା ନିଶ୍ଚିତ ପଦାରେ ପଡିଥାଏ । ଚୋର ଯେତେ ଚତୁର ହେଲେ ବି ଦିନେ ନା ଦିନେ ସେ ପୋଲିସ୍ ହାବୁଡରେ ହିଁ ଧରାପଡିଥାଏ । ସେହିଭଳି ବେଶି ଚାଲାକି ଦେଖାଇବା ମହଙ୍ଗା ପଡିଛି ଏହି ଫାଇନାନ୍ସ କର୍ମଚାରୀଙ୍କୁ । ସାମାନ୍ୟ ଅର୍ଥଲୋଭ ପାଇଁ ହାତକୁ ଆସିଥିବା ଟଙ୍କା ତ ଗଲା ତା ସହିତ ଚାକିରି ତା ଗଲା ଓ ଜେଲରେ ଭର୍ତ୍ତି ହେଲେ ଯୁବକ । ଆଉ ସବୁଠାରୁ ବଡ଼ କଥା ହେଉଛି ସେ କାମ କରୁଥିବା ବ୍ୟାଙ୍କ ଏବଂ ଲୋକଙ୍କର ବିଶ୍ୱାସ ମଧ୍ୟ ହରାଇଲେ । ଯାହା ତାଙ୍କ ଭବିଷ୍ୟତ ଜୀବନକୁ ବର୍ବାଦ କରିଦେବ ।