ଫଳ ବୋଝେଇ ଟ୍ରକ୍ରେ ଗଞ୍ଜେଇ ଚାଲାଣ: ମାଡ଼ିବସିଲା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ, ୩ ଗିରଫ

ଭୁବନେଶ୍ୱର: ଫଳ ବୋଝେଇ ଟ୍ରକ୍ରୁ ମିଳିଲା ୮୦୮ କିଲୋରୁ ଅଧିକ ଗଞ୍ଜେଇ । ଭୁବନେଶ୍ୱର ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ କ୍ରିଷ୍ଣାଭରମରୁ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) । ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କା ।
ସୂଚନା ଅନୁସାରେ ଦୁର୍ବୃତ୍ତ ମାନେ ଫଳ ଗାଡ଼ିରେ ଗଞ୍ଜେଇକୁ ଲୁଚେଇ ନେଉଥିଲେ । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଚୋରା ଚାଲାଣ କରାଯାଉଥିବା ଗଞ୍ଜେଇକୁ ଧରିବାକୁ ଜାଲ ବିଛାଇଥିଲା । ଗତକାଲି ରାତିରେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଛକି ରହିଥିଲେ । ଏହି ସମୟରେ ଆନ୍ଧ୍ରପ୍ରଦେଶ କ୍ରିଷ୍ଣାଭରମ୍ ଟୋଲ ଗେଟ ନିକଟରେ ଟୋଲ୍ ବ୍ୟାରିୟରକୁ ଧକ୍କା ଦେଇ ଫେରାର ହେବାକୁ ଉଦ୍ୟମ କରିବା ପରେ ଧରାପଡ଼ିଥିଲେ । ଟ୍ରକ୍ ଚେକିଂ ସମୟରେ ଫଳ କ୍ୟାରେଟରୁ ମିଳିଥିଲା ପାଖାପାଖି ୮୦୮ କେଜି ଗଞ୍ଜେଇ। DRI ପକ୍ଷରୁ କାର୍ ଓ ଫଳ ବୋଝେଇ ଟ୍ରକ୍କୁ ଜବତ କରାଯାଇଛି । ଏଥିରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।