ବଢୁଛି ଖରା ମେଣ୍ଟୁନି ଶୋଷ, ପିଇବା ପାଣି ପାଇଁ ହନ୍ତସନ୍ତ ଗାଁ ଲୋକେ

କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ । ଜଳ ବହୁଳେ କିପରି ସୃଷ୍ଟି ର ନାଶ ଘଟେ ତାହାର ଜ୍ଵଳନ୍ତ ଉଦାହରଣ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟାର ସାତଟି ଗାଁ । ଜଳ ପ୍ରଳୟ ଘଟିବାରୁ ସାତଭାୟା ଗ୍ରାମବାସୀଙ୍କୁ ବଗପାଟିଆ ଠାରେ ଥଇଥାନ କରାଯାଇଛି ମାତ୍ର ଏହି ଗାଁ ର ଲୋକମାନେ ପିଇବା ପାଣି ଟୋପାଏ ପାଇଁ କିପରି ଡହଳ ବିକଳ ହେଉଛନ୍ତି ତାହାର ଚିତ୍ର ସାମ୍ନା କୁ ଆସିଛି । ୪୦୦ ପରିବାର ପାଇଁ ମାତ୍ର ଗୋଟିଏ ନଳକୂପ ।
ଏହି ଗାଁ ର ଲୋକମାନେ ଗରାଏ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି । ସକାଳୁ ଧାଡ଼ି ରେ ଛିଡ଼ା ହେଲେ ପାଣି ଧରି ଘରକୁ ଫେରିବା ବେଳକୁ ୩ରୁ ୪ଘଣ୍ଟା ଲାଗିଯାଏ । ଏ ସମସ୍ୟା ଆଜିର ନୁହେଁ ବର୍ଷ ବର୍ଷ ଧରି ପାଣି ଟୋପାଏ ପାଇଁ ଏମାନେ ଏମିତି ସଂଘର୍ଷ କରି ଆସୁଛନ୍ତି ।
ସାତଭାୟାର ସାତଟି ଗାଁ ସମୁଦ୍ର ଗର୍ଭରେ ବିଲୀନ ହୋଇଗଲା । ସରକାରଙ୍କ ପ୍ରଚେଷ୍ଟାରେ ସାତଭାୟା ଗ୍ରାମବାସୀଙ୍କୁ ୨୦୧୮ ମସିହାରେ ସ୍ଥାନାନ୍ତର କରାଯାଇଥିଲା ବଗପାଟିଆକୁ । ପ୍ରଥମେ ୫୭୧ ପରିବାର ପରେ ୨୭୦ ପରିବାରକୁ ଥଇଥାନ କରାଯାଇଥିଲା । ସେମାନଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଛନ୍ତି ମାତ୍ର ବାସ୍ତବ ଚିତ୍ର ଭିନ୍ନ । ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ଓଭର ହେଡ ଟାଙ୍କି ମଧ୍ୟ ଏମାନଙ୍କୁ ପାଣି ଯୋଗାଇବାରେ ଅସମର୍ଥ ।
ଗରାଏ ପାଣି ପାଇଁ ମହିଳାଙ୍କ ମଧ୍ୟରେ ଏହି ସଂଘର୍ଷ ସରକାରଙ୍କ ବିକାଶର ପ୍ରକୃତ ଚିତ୍ର ସାମ୍ନାକୁ ଆଣିଛି । ଅନ୍ୟପଟେ ତୁରନ୍ତ ଆମକୁ ନଳକୂପ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏହି ଜଳ ସଂଙ୍କଟକୁ ରାଜନଗର ବିଡ଼ିଓ ସ୍ଵିକାର କରିବା ସହିତ ତୁରନ୍ତ ସମାଧାନ କରିବାକୁ କହିଛନ୍ତି ।
Also Read:ଲୋକୋ ପାଇଲଟଙ୍କ ପାଇଁ ଖାଦ୍ୟ ଏବଂ ଶୌଚାଳୟ ବିରତି ମନା କଲା ଭାରତୀୟ ରେଳବାଇ, ଜାଣନ୍ତୁ କାହିକିଁ ?