ଖରା ବଢିବା ସାଙ୍ଗକୁ ବଢୁଛି ଜଳ କଷ୍ଟ, ପିଇବା ପାଣି ପାଇଁ ହନ୍ତସନ୍ତ ଗାଁ ଲୋକେ

ଧାଡି ଧାଡି ହୋଇ ରହିଛି ଗରା ବାଲଟି। ନଳକୂପ ନିକଟରେ ମହିଳାଙ୍କ ଭିଡ଼ । ନଳକୂପରୁ ମଧ୍ୟ ପର୍ଯ୍ୟାପ୍ତ ପାଣି ବାହାରୁନାହିଁ । ଏଠାରେ ପିଇବା ପାଣି ପାଇଁ ଯେପରି ମହିଳାଙ୍କୁ ସଂଘର୍ଷ କରିବାକୁ ପଡୁଛି । ସରକାରଙ୍କ ଦ୍ୱାରା ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିବାରୁ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ପଞ୍ଚାୟତ ଉତ୍ତର ଶାସନ ଗାଁର ।
ଏଠାରେ ଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିବାରୁ ପ୍ରାୟ ୧୫ଦିନ ହେବ ଉତ୍ତର ଶାସନ, ଦୁବଗଡ଼ିଆ ଓ ଉତ୍ତରଶାସନ(ଖ) ଆଦି ଗାଁର ଲୋକେ ପାଇପ ପାଣି ପିଇବାରୁ ବଞ୍ଚିତ । ଗ୍ରୀଷ୍ମ ଋତୁରେ ଏହି ୩ଟି ଗାଁର ୨ହଜାରରୁ ଅଧିକ ଲୋକେ ଏବେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଗତ ୫ବର୍ଷ ପୂର୍ବେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ପ୍ରାୟ ୧କୋଟି ଟଙ୍କା ବ୍ୟୟରେ ଉତ୍ତର ଶାସନ ଗାଁରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା । ୨୦୧୯ ନଭେମ୍ବର ୧ତାରିଖରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଠାରେ ଘର, ବୋରିଂ, ଓଭର ହେଡ଼ ପାଣି ଟାଙ୍କି, ବିଦ୍ୟୁତ ସଂଯୋଗ, ପାଇପ ବିଛା ଯିବା ସହ ପାଚେରୀ ଆଦି ନିର୍ମାଣ କରାଯାଇଥିଲା। ତେବେ ଗଭୀର ଖନନ ହୋଇନଥିବାରୁ ଖରା ମାସରେ ମୋଟର ପାଣି ଉଠାଉନାହିଁ ।
ଅନ୍ୟପକ୍ଷରେ ଏହି ପାନୀୟ ପ୍ରକଳ୍ପରୁ ଟ୍ୟାଙ୍କର ଲଗାଇ ଅନ୍ୟତ୍ର ପାଣି ନିଆଯାଉଥିବାରୁ ଜଳସ୍ତର ହ୍ରାସ ପାଉଥିବା ଅଭିଯୋଗ ହୋଇଛି । ସେହିପରି ଅନେକ ସ୍ଥାନରେ ଏକାଧିକ ପାଇପ ଫାଟିଥିବା ଦେଖିବାକୁ ମିଳିଛି । ଏପଟେ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ।
Also raed:କାମ କରୁଥିବା ସମୟରେ ବୃଦ୍ଧଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର, ପୋଲିସର ତଦନ୍ତ ଜାରି