କେନ୍ଦୁଝର : ମୁଣ୍ଡରେ ପାଣି ଗଗରା ଧରି ଜଣକ ପଛକୁ ଜଣେ ଧାଡ଼ି ହୋଇ ସ୍କୁଲ ସାମ୍ନାରେ ଠିଆ ହୋଇଛନ୍ତି । ଆପଣ ଭାବୁଥିବେ ଅଭିଭାବକ ମାନଙ୍କର ଏହି ସ୍କୁଲ୍ ସାମ୍ନାରେ କାମ କ’ଣ । ଏମାନେ ଏପରି ପାଣି ଗଗରା ମୁଣ୍ଡରେ ବୋହି ସ୍କୁଲ୍ ଗେଟ୍ ସାମ୍ନାରେ ଠିଆ ହୋଇଛନ୍ତି କାହିଁକି ! ପିଲାମାନେ ସ୍କୁଲ୍ ରେ ପାଠ ପଢ଼ୁଥିବା ବେଳେ ଅଭିଭାବକଙ୍କର ଏଇଠି କାମ ବା କ’ଣ ? ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ ହେବେ ।
ସ୍କୁଲ୍ ରେ ପିଇବାକୁ ନାହିଁ ପାଣି । ପିଲାମାନଙ୍କର ତଣ୍ଟି ଶୁଖିଯାଉଥିବା ବେଳେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଡୁମୁରିନାଳୀ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ଘୋର ପାନୀୟଜଳ ସମସ୍ୟା ଦେଖାଦେଇଛି । ଯେଉଁଥିପାଇଁ ଖାଲି ଛାତ୍ରଛାତ୍ରୀ ନୁହଁନ୍ତି ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ମାନେ ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସ୍କୁଲ୍ ରେ ଥିବା ନଳକୂପଟି ଦୀର୍ଘ ବର୍ଷ ହେବ ଅଚଳ ହୋଇପଡିଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ ଏବଂ ସ୍କୁଲ କତ୍ତୃପକ୍ଷ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟାନ୍ନ ଭୋଜନ ପାଇଁ ଆବଶ୍ୟକ ପାଣି ପାଇଁ ଗାଁ ନିକଟରେ ଥିବା ଏକ ଚୁଆରୁ ପାଣି ସଂଗ୍ରହ କରି ଅଭିଭାବକ ମାନେ ସ୍କୁଲକୁ ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ଏଇ ଚୁଆ ପାଣି ସାହା ଭରଷା । ଦୀର୍ଘଦିନ ଦିନ ଧରି ନଳକୂପଟି ଅଚଳ ଯୋଗୁ ଏହାର ମରାମତି କରାଯାଉନାହିଁ କିମ୍ବା ନୂତନ ନଳକୂପର ମଧ୍ୟ ବ୍ୟବସ୍ଥା କରାଯାଉ ନାହିଁ ଯାହାଫଳରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଲୋକେ କହିଛନ୍ତି । ତେଣୁ ତୁରନ୍ତ ଏସମସ୍ୟାର ସମାଧାନ କରି ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି।