ବିପଦରେ ବଧିଆମୁଣ୍ଡା ଗ୍ରାମବାସୀ : ମାତ୍ରାଧିକ ଫ୍ଲୋରାଇଡ ଯୁକ୍ତ ପାଣି ଏମାନଙ୍କ ଚିନ୍ତା ବଢାଇଛି

ନୂଆପଡା: ନୂଆପଡା ଜିଲ୍ଲା ବୋଡେନ ବ୍ଲକ କାର୍ଯ୍ୟାଳୟଠାରୁ ୧୫କିମି ଦୂରତାରେ ରହିଛି ବଧିଆମୁଣ୍ଡା ଗାଁ । ଏହି ବଧିଆମୁଣ୍ଡା ଗାଁରେ ୫ଶହରୁ ଊର୍ଦ୍ଧ୍ଵ ଲୋକ ବସବାସ କରୁଥିବା ବେଳେ ପାନୀୟ ଜଳ ପାଇଁ କେବଳ ଗୋଟିଏ ନଳକୂପ ରହିଛି । ହେଲେ ଏହି ନଳକୂପରେ ମାତ୍ରାଧିକ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଛି । ଏବେ ମୁଣ୍ଡଫଟା ଖରା ସାଙ୍ଗକୁ ଧିରେ ଧିରେ ଗ୍ରୀଷ୍ମତାତି ବୃଦ୍ଧି ପାଇବାରେ ଲାଗୁଥିବାବେଳେ ପାନୀୟ ଜଳର ଉତ୍କଟ ସମସ୍ୟା ବଧିଆମୁଣ୍ଡା ଗ୍ରାମବାସୀଙ୍କୁ ଡହକ ବିକଳ କରି ଦେଉଛି ।

ଅପରପକ୍ଷେ ଦୀର୍ଘ ତିନି ବର୍ଷ ତଳେ ପ୍ରଶାସନ ତଥା ଜନସ୍ଵାସ୍ଥ୍ୟ ବିଭାଗ ତରଫରୁ ବଧିଆମୁଣ୍ଡା ଗାଁଲୋକଙ୍କୁ ପାଇପ ଯୋଗେ ଜଳ ଯୋଗାଣ ପାଇଁ ଡମଝର ଗାଁ ନିକଟସ୍ଥ ସୁନ୍ଦର ନଦୀରେ ମେଘା ପାନୀୟ ଜଳପ୍ରକଳ୍ପ ନିର୍ମାଣ କରାଯାଇଛି । ଏଥିପାଇଁ ଗାଁରେ ପାଇପ ପୋତିବା ଏବଂ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ମଧ୍ୟ ନିର୍ମାଣ କରାଯାଇଛି । ହେଲେ ବିଭିନ୍ନ ସ୍ଥାନରେ ପାଇପ ଗୁଡିକ ଫାଟି ଯାଇଥିବା ଯୋଗୁଁ ବଧିଆମୁଣ୍ଡା ଗ୍ରାମର ଷ୍ଟାଣ୍ଡ ପୋଷ୍ଟ ଗୁଡିକୁ ପାଇପ ଯୋଗେ ଏଯାଏଁ ପାନୀୟ ଜଳ ପହଁଚିପାରିନାହିଁ ।

ଯାହାଫଳରେ ପ୍ରତିଦିନ ବଧିଆମୁଣ୍ଡା ଗାଁର ମହିଳାମାନେ ଟାଣ ଖରାରେ ବିପଦପୂର୍ଣ୍ଣ ଅବସ୍ଥାରେ ଦୀର୍ଘ ଘଣ୍ଟା ଧରି ଅପେକ୍ଷା କରି ନଳକୂଅର ମାତ୍ରାଧିକ ଫ୍ଲୋରାଇଡ ଯୁକ୍ତ ଦୂଷିତ ଜଳକୁ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ଏହି ଫ୍ଲୋରାଇଡଯୁକ୍ତ ପାଣି ପିଇବା ଦ୍ଵାରା ଗ୍ରାମବାସୀଙ୍କ ଦାନ୍ତ କଳା ପଡି ଯାଉଥିବା ବେଳେ ଗୋଡ ହାତ ଅଙ୍କା ବଙ୍କା ହୋଇ ଅକାଳରେ ଭିନ୍ନକ୍ଷମ ହୋଇପଡୁଛନ୍ତି । ଏପରିକି ଗାଁର ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଥିବା ସ୍ଥାନୀୟ ମହିଳାମାନେ କହିଛନ୍ତି ।

ବୋଡେନ ବ୍ଲକ ବଧିଆମୁଣ୍ଡା ଗାଁରେ ଦିନକୁ ଦିନ ତାତିବଢିବା ସାଙ୍ଗକୁ ପାନୀୟ ଜଳର ଉତ୍କଟ ସମସ୍ୟା ଦ୍ଵିଗୁଣିତ ହେବାରେ ଲାଗିଛି । ବଧିଆମୁଣ୍ଡା ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇ ଦେବା ପାଇଁ ସୁନ୍ଦର ନଦୀରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ବୋଡେନ ଜନସ୍ଵାସ୍ଥ୍ୟ ବିଭାଗର ଦାୟିତ୍ଵହୀନତା ଯୋଗୁଁ ଦୀର୍ଘ ୩ବର୍ଷ ବିତିଯାଇଥିଲେ ଗାଁଲୋକଙ୍କ ନିକଟକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଏଯାଏଁ ପହଁଚି ପାରିନାହିଁ । ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଏକ ପ୍ରକାରର ଫେଲ ମାରିଛି ।

ବଧିଆମୁଣ୍ଡା ଗାଁଲୋକେ ପାନୀୟ ଜଳ ସହ ଗାଧୋଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁରେ ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକମାନେ ବାରମ୍ୱାର ନୂଆପଡା ଜିଲ୍ଲାପାଳ ତଥା ବୋଡେନ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଲିଖିତ ଜଣେଇବା ସହ ବିଶୁଦ୍ଧ ପାନୀୟ ଜଳ ଯୋଗେଇ ଦେବା ପାଇଁ ଦାବି କରିଆସୁଛନ୍ତି । ହେଲେ ପ୍ରଶାସନ ତରଫରୁ ଏଯାଏଁ ପାନୀୟ ଜଳର ବ୍ୟବସ୍ଥା କରିନଥିବାରୁ ବଧିଆମୁଣ୍ଡା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଅପରପକ୍ଷେ, ବଧିଆମୁଣ୍ଡା ଗାଁରେ ଲାଗିରହିଥିବା ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆମ ପ୍ରତିନିଧି ନୂଆପଡା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ୱୋଦର ଧରୁଆଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ବଧିଆମୁଣ୍ଡା ଗାଁରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏପଟେ ଆଗକୁ ଦାବି ପୂରଣ ନହେଲେ ବୋଡେନ ବ୍ଲକ କାର୍ଯ୍ୟାଳୟ ତଥା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ବଧିଆମୁଣ୍ଡା ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ତେବେ ଦେଖାଯାଉ ପ୍ରଶାସନକୁ ଆଉ କେତେ ଦିନ ଲାଗୁଛି ଏହି ଗ୍ରାମବାସୀଙ୍କ ଦୁଃଖ ଦୁର କରିବାକୁ ।

ଆହୁରି ପଢ଼ନ୍ତୁ : କଟକ ଏସସିବି ମେଡିକାଲରେ ଶିଶୁ ବଦଳ ଅଭିଯୋଗ, ଧାରଣାରେ ବସିଲେ ପରିବାର ଲୋକ