କନ୍ଧମାଳ: ସିମାଲକିଆ ଗାଁରେ ବର୍ଷସାରା ଲାଗି ରହିଛି ପାଣି ସମସ୍ୟା

କନ୍ଧମାଳ(କେନ୍ୟୁଜ୍): ଖରା, ବର୍ଷା, ଶୀତ ସବୁ ସମୟରେ ପାଣି ସମସ୍ୟା । ଗାଁରେ ୮୫ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରନ୍ତି । ହେଲେ ଆଜି ଯାଏ ଗାଁରେ ଗୋଟିଏ ବି ନଳକୂଅ ନାହିଁ । ପିଇବା ପାଣି ପାଇଁ ଚୂଆ ପାଣି ଉପରେ ଭରସା କରୁଛନ୍ତି ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଦାରିଙ୍ଗବାଡି ବ୍ଳକ ବୁଡାଗୁଡା ପଞ୍ଚାୟତ ସିମାଲକିଆ ଗାଁରେ । କନ୍ଧମାଳ ଦାରିଙ୍ଗବାଡି ବ୍ଳକ ଅନ୍ତର୍ଗତ ସିମାଲକିଆ ଗାଁରେ ବର୍ଷସାରା ପାଣି ସମସ୍ୟା । ଗାଁରେ ପିଇବା ପାଣିର କୌଣସି ସୁବିଧା ନାହିଁ ।

ଆଜି ଯାଏ ନଳକୂଅ ପାଣିର ସ୍ୱାଦ କ’ଣ ଜାଣିନାହାନ୍ତି ଗ୍ରାମବାସୀ । କେବଳ ଚୂଆ ପାଣି ଉପରେ ଭରସା କରି ଚଳୁଛନ୍ତି ଲୋକେ । ଯେଉଁଠି ପିଇବା ପାଣି ସେଇଠି ଲୁଗା ସଫା । ସତେ ଯେମିତି ବିଶୁଦ୍ଧ ପିଇବା ପାଣି ଟୋପେ ଏମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଗାଁରେ ରହୁଥିବା ଅଧିକାଂଶ ମହିଳା ଭଲ ଭାବେ ଓଡ଼ିଆ ବୁଝନ୍ତି ନାହିଁ କି କହି ପାରନ୍ତି ନାହିଁ । ଦୁଃଖର ସହ କହିଛନ୍ତି ବିଲରେ ଥିବା ଚୂଆ ପାଣି ବ୍ୟବହାର କରିବା ଛଡା ଅନ୍ୟ କୌଣସି ଉପାୟ ନାହିଁ । ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଅନେକ ଥର ଗୁହାରୀ କରିଥିଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ।